ଭଞ୍ଜନଗର,୦୩/୦୮(ପିପିଟି): ଦୀର୍ଘଦିନ ହେଲା ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର, କର୍ମଚାରୀ ଓ ଅନ୍ୟାନ୍ୟ ସମସ୍ୟା କାରଣରୁ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୟକୃଷ୍ଣ ପଟ୍ଟନାୟକଙ୍କ ନେତୃତ୍ୱରେ ମଙ୍ଗଳବାର ଆନ୍ଦୋଳନକୁ ଓହ୍ଲାଇ ଥିଲା। ସଂଘର ସମସ୍ତ କର୍ମକର୍ତ୍ତା ଓ ଅନ୍ୟାନ୍ୟ ସଙ୍ଗଠନର ସଦସ୍ୟ ମାନେ ଏକତ୍ରିତ ହୋଇ ଷ୍ଟେଟ ବ୍ୟାଙ୍କ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ମେଡ଼ିକାଲ ସାମ୍ନାରେ ଧାରଣାରେ ବସିଥିଲେ।କିଛି ସମୟ ପରେ ଭଞ୍ଜନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଓ ମେଡ଼ିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥି ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଅତିଶୀଘ୍ର ୪ଜଣ ଡାକ୍ତରଙ୍କୁ ନିଯୁକ୍ତି ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇ ଆନ୍ଦୋଳନରୁ ଓହରି ଯିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ୩ଜଣ ଡାକ୍ତର ଡେପୁଟେସନରେ ଆସି ଭଞ୍ଜନଗର ମେଡ଼ିକାଲରେ ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଥିବା ଜଣାପଡ଼ିଛି। ସେମାନେ ହେଲେ ମୁଜାଗଡ଼ରୁ ଆସିଥିବା ଡ଼. ଅର୍ମାନ ମିଶ୍ର,ଗୋଚ୍ଛାରୁ ଆସିଥିବା ଡ଼. ଆଶୁତୋଷ କୁମାର ପ୍ରଧାନ ଓ ବଡ଼ଗଡରୁ ଆସିଥିବା ଡ଼. ତିରୁପତି କୁମାର ଜେନା। ଏଥିସହ ଭଞ୍ଜନଗର ଉପଜିଲ୍ଲାପାଳ ମେଡ଼ିକାଲ ଅଧିକ୍ଷକଙ୍କ ସହ ଆଲୋଚନା କରି ସିଡିଏମଓଙ୍କୁ ତୁରନ୍ତ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବାକୁ ପତ୍ର ଲେଖି ଜଣାଇଥିବା ଅଧିକ୍ଷକ ଶ୍ରୀ ଶତପଥି ଜଣାଇଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )