ବ୍ରହ୍ମପୁର,୦୫/୦୨(ପିପିଟି): ବହୁ ଚର୍ଚ୍ଚିତ ହିଞ୍ଜିଳି ପୌରପରିଷଦ ନିର୍ବାଚନ ପାଇଁ ବିଜେଡ଼ି,ବିଜେପି, କଂଗ୍ରେସ ଦଳ ତରଫରୁ ପ୍ରାର୍ଥୀ ଘୋଷଣା କରାଯାଇଛି। କଂଗ୍ରେସ ଦଳ ପାଇଁ ହିଞ୍ଜିଳି ପୌରପରିଷଦ ଦଳୀୟ ସଭାପତି ସୁନାରାମ ସାବତଙ୍କ ନାମ ଘୋଷଣା ହୋଇଥିବାବେଳେ, ଭାରତୀୟ ଜନତା ପାର୍ଟି ତରଫରୁ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ନାମ ଦଳୀୟ ପ୍ରାର୍ଥୀ ରୂପେ ଘୋଷଣା କରାଯାଇଛି । କିନ୍ତୁ ବିଜେଡ଼ି ଦଳ ତରଫରୁ ବହୁ ହେଭିୱାଟପ୍ରାର୍ଥୀ ଚର୍ଚ୍ଚାରେ ଥିବା ସଧାରଣ ଆଲୋଚନା ହେଉଥିଲା । ଏପରି କି ବିଜେଡ଼ି ଟିକଟ ହାତେଇବା ପାଇଁ ବହୁ ନାମିଦାମୀ, ବିତ୍ତଶାଳୀ, ପୂର୍ବତନ ରାଜନୈତିକ ବ୍ୟକ୍ତିବିଶେଷ ଲବିରେ ଥିବା ଚର୍ଚ୍ଚା ହେଉଥିଲା । ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଦାବିଦାର ପ୍ରାର୍ଥୀ ଆଶାବାନ୍ଧି ଥିବା ଆଲୋଚନାରୁ ପ୍ରକାଶ । କିନ୍ତୁ ଦଳର ନୂତନ ରଣକୌଶଳ ପ୍ରକାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରେ ନଥିବା ପୂର୍ବତନ ଉପାଧ୍ଯକ୍ଷ ସୁବାଷ ଚନ୍ଦ୍ର ପଲେଇଙ୍କ ନାମ ବିଜୁ ଜନତା ଦଳ ତରଫରୁ ଅଧ୍ୟକ୍ଷ ପ୍ରାର୍ଥୀରୂପେ ଚୟନ କରାଯାଇଥିବା ଅପରାହ୍ନ ରେ ଘୋଷିତ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି।ବିଭିନ୍ନ ମହଲରୁ ଏବଂ ଦଳ ତରଫରୁ ଏହି ଘୋଷଣା ପରେ ବିଜେଡ଼ି ଦଳୀୟ ପ୍ରାର୍ଥୀ ସୁବାଷ ଚନ୍ଦ୍ର ପଲେଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନାର ସୁଅ ଛୁଟିଛି । ବର୍ତ୍ତମାନ ପରିସ୍ଥିତି ରେ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ହିଞ୍ଜିଳି ଅଞ୍ଚଳର ହୋଇଥିବାବେଳେ ନୂତନ ଶାସକ ଦଳର ସଦସ୍ୟ ବାଇଞ୍ଚବନିଆ ଏବଂ ଅଙ୍କୋରଡ଼ା ଅଞ୍ଚଳରୁ ଶାସକଦଳ ପ୍ରାର୍ଥୀ ରୁପେ ଚୟନ କରିଛି। ଅଗାମୀଦିନରେ ସମସ୍ତ ଦଳୀୟ ପ୍ରାର୍ଥୀ ଓ ନିର୍ଦଳୀୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ପରେ ନିର୍ବାଚନ ରଣାଙ୍ଗନ ସରଗରମ ହେବବୋଲି ଆଲୋଚନା ହେଉଛି।