ଭଞ୍ଜନଗର,୨୧/୦୪(ପିପିଟି):ଜଣେ ଯୁବକ ଜଙ୍ଗଲରେ ହାତୀ ହାବୁଡ଼ରୁ ଖସି ଆସିଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ି ଗୁରୁତର ହୋଇଥିବା ଜଣାପଡିଛି। ଉତ୍ତର ଘୁମୁସର ବନଖଣ୍ଡ ତାରାସିଙ୍ଗି ବନାଞ୍ଚଳର ନାରାୟଣ ପ୍ରସାଦ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଛେଳି ଚରାଉଥିବା ବେଳେ ଭାଲୁ ଆକ୍ରମଣ ରେ ଛେଳି ଚରାଳି ପରମେଶ୍ବର ପ୍ରଧାନ (୪୦) ଗୁରୁତର ଆହତ ହୋଇଛନ୍ତି।ଏହି ଗ୍ରାମର ନେକୁଳ ମାଝୀ ଓ ପରମେଶ୍ବର ପ୍ରଧାନ ନିକଟସ୍ଥ ଜଙ୍ଗଲ ରେ ଛେଳି ଚରାଉଥିବା ବେଳେ ଉକ୍ତ ଜଙ୍ଗଲରେ ୧୦ ରୁ ୧୨ ପଟ ହାତୀ ଉଭୟଙ୍କୁ ଗୋଡ଼ାଇ ଆଣିଥିଲେ। ଜୀବନ ବଞ୍ଚାଇବା ପାଇଁ ଉଭୟେ ଦୌଡ଼ି ଯାଇ ଏକ ପଥର ମୁଣ୍ଡିଆ ଉପରେ ଚଢ଼ିଥିଲେ। କିନ୍ତୁ ସେଠାରେ ହାଠାତ୍ ଏକ ଭାଲୁ ଆସି ପରମେଶ୍ବରଙ୍କୁ ଅତର୍କିତ ଭାବେ କାମୁଡ଼ି ପକେଇଥିଲା ବେଳେ ନେକୁଳ ସେଥିରୁ ବର୍ତ୍ତି ଯାଇଥିଲେ। କୌଣସି ମତେ ଉଭୟ ଦୌଡ଼ି ଆସି ଗ୍ରାମ ନିକଟରେ ପହଞ୍ଚିବା ପରେ ପରିବାର ଲୋକେ ଏକ ଅଟୋ ଯୋଗେ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରିଛନ୍ତି। ବନ ବିଭାଗ ପକ୍ଷରୁ ଏ ନେଇ କୌଣସି ତଦନ୍ତ ଆରମ୍ଭ ହୋଇନଥିବା ଅଭିଯୋଗ ହୋଇଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )