ମାଲକାନଗିରି,୨୭/୦୭(ପିପିଟି): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳ ଆଜି ବି ଏକ ପ୍ରକାର ଅପହଞ୍ଚ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ଲୋକେ ସେହି ଅଞ୍ଚଳରେ ଅତି ଶୋଚନୀୟ ଭାବେ ଜୀବନ ଯାପନ କରୁଛନ୍ତି।ଏବେ ଜିଲ୍ଲାର ସବୁଠାରୁ ବେଶୀ ବର୍ଷା ସ୍ବାଭିମାନ ଅଞ୍ଚଳରେ ହେଉଥିବା ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ଲୋକେ ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହେଉଛନ୍ତି। ଘରେ ସାଇତି ରଖିଥିବା ଖାଦ୍ୟକୁ ବର୍ତ୍ତମାନ ଖାଉଥିବା ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ପାହାଡି ନଦୀ ଗୁଡିକରେ ପାଣି ଜୋର ପ୍ରବାହିତ ହେଉଥିବା ବେଳେ ଗ୍ରାମବାସୀ ମାନେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଥିବା ଦେଖିବାକୁ ମିଳିଛି। ଧୂଳିପୁଟ ପଞ୍ଚାୟତର ମାଳିଗୁଡା ଗ୍ରାମର ଲୋକେ ନିଜର ଦୈନନ୍ଦିନ ସାମଗ୍ରୀ ପାଇଁ ହେଉ ବା ପିଡିଏସ ଚାଉଳ ପାଇଁ ହେଉ ନିକଟରେ ଥିବା ପାହାଡିଆ ନଦୀକୁ ପାର କରିବାକୁ ପଡୁଛି। ଏକ ଦେଶୀ ଡଙ୍ଗା ସାହାଯ୍ୟରେ ନଦୀକୁ ପାର କରୁଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ଏହି ପାହାଡିଆ ନଦୀରେ ଦୁର୍ଘଟଣା ଘଟି ବହୁ ଜୀବନ ହାନି ହୋଇଥିବା ସ୍ଥାନୀୟ ଲୋକେ କହନ୍ତି। କିନ୍ତୁ ନଦୀ ପାର କରିବାକୁ ଏକ ମାତ୍ର ଦେଶୀ ଡଙ୍ଗା ଭରସା ରହିଥିବାରୁ ଏହାକୁ ହିଁ ସେମାନେ ଜୀବନର ପଥ ବୋଲି ବାଛି ନେଇଛନ୍ତି। ଏହି ନଦୀଗୁଡିକର ପାଣିର ସ୍ରୋତ କ୍ଷୀପ୍ର ଗତିରେ ପ୍ରବାହିତ ହେଉଥିଲେ ମଧ୍ୟ ଏହାକୁ ପାର କରିବାକୁ ଲୋକେ ଡଙ୍ଗା କିମ୍ବା ପାଣି ଭିତରେ ପଶି ଦୁସାହସିକ ଭାବେ ପାର ହେଉଛନ୍ତି। ବହୁ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିବା ଶୁଣିବାକୁ ମିଳୁଛି । ପ୍ରକାଶ ଥାଉ କି ସ୍ବାଭିମାନ ଅଞ୍ଚଳକୁ ବାଟ କାଢିଥିଲା ଗୁରୁପ୍ରିୟା ସେତୁ। ଗୁରୁପ୍ରିୟା ସେତୁ ହେବା ପରେ ହୁଏତ ସ୍ବାଭିମାନ ଅଞ୍ଚଳର ଭାଗ୍ୟ ବଦଳିବ I କେତେକାଂଶରେ ଗମନାଗନ କ୍ଷେତ୍ରରେ ସଫଳ ହୋଇଥିବା ବେଳେ ଏବେ ବି ବହୁ ଗ୍ରାମବାସୀ ପାଣି ଘେରରେ ରହିଛନ୍ତି। ଯାହାକି ପ୍ରଶାସନ ନିକଟରେ ଖବର ନାହିଁ। ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ବହୁ ପାହାଡିଆ ନଦୀ ଏବେ ଫୁଲିଥିବା ବେଳେ ସ୍ବାଭିମାନ ଅଞ୍ଚଳକୁ ଚିତ୍ରକୋଣ୍ଡା ଡ୍ୟାମ ଜଳ ବନ୍ଦୀରେ ରଖିଛି। ଚିତ୍ରକୋଣ୍ଡା ଡ୍ୟାମର ପଛୁଆ ପାଣି ଅନ୍ୟ ପାହାଡିଆ ନଦୀଗୁଡିକରେ ପଶୁଥିବାରୁ ସବୁ ନଦୀ ନାଳରେ ଜଳ ସ୍ତର ବ୍ରୁଦ୍ଧି ପାଇଛି । ଯାହାଫଳରେ ବହୁ ଗ୍ରାମ ବାହ୍ଯ ଜଗତରୁ ବିଛିନ୍ନ ହୋଇ ରହିଛି। ଲୋକେ ଘରୁ ପଦାକୁ ନବାହାରିଲେ ଖାଇବେ କଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟଦିଗରେ ଏବେ ବର୍ଷା ଲାଗି ରହିଥିବାରୁ ଘରେ ଘରେ ଲୋକେ ରୋଗରେ ପଡିଲେଣି। ଡାକ୍ତର ଖାନାକୁ ଆସିବାକୁ ହେଲେ ଏହି ପାହାଡିଆ ନଦୀଗୁଡିକକୁ ପାର କରିବାକୁ ପଡିଥାଏ । ତେଣୁ ଜୀବନକୁ ବାଜି ଲଗାଇ ଲୋକେ ଏହାକୁ ପାର କରିଥାନ୍ତି ବୋଲି ପ୍ରକାଶ କରିଛନ୍ତି। ସ୍ବାଭିମାନ ଅଞ୍ଚଳର ଗାଜଲମାମୁଡି, ରାଲେଗାଡା,ପଣସପୁଟ ଜୋଡାମ୍ବ ଭଳି ପଞ୍ଚାୟତର ବହୁ ଗ୍ରାମ ଏଭଳି ପାହାଡିଆ ନଦୀ ଦ୍ବାରା ଘେରି ରହିଛି। ଯଦ୍ବାରା ଲୋକେ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି। ବର୍ଷାଦିନ ଆସିଲେ ଏମାନେ ବହୁ ସମସ୍ୟା ଦେଇ ଗତି କରନ୍ତି।ରାସ୍ତାଗୁଡିକ ମଧ୍ୟ ଶୋଚନୀୟ ହୋଇପଡେ। ପାଦରେ ଚାଲିଯିବାକୁ ମଧ୍ୟ କଷ୍ଟ ହୁଏ। ତେଣୁ ପ୍ରଶାସନ ତରଫରୁ ଏଭଳି ପାହାଡିଆ ନଦୀଗୁଡିକରେ ବ୍ରିଜ ନିର୍ମାଣ କରାଗଲେ ବହୁ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହେବେ ନାହିଁ ଏବଂ ବର୍ଷା ଦିନେ ମଧ୍ୟ ଲୋକେ ଉପକୃତ ହୋଇପାରନ୍ତେ ବୋଲି ଅଞ୍ଚଳ ବାସୀଙ୍କ ଦାବି କରିଛନ୍ତି। ସ୍ବାଭିମାନ ଅଞ୍ଚଳର ଦୁର୍ଦ୍ଦଶା ବର୍ଷା ଋତୁରେ ଅକଥନୀୟ ହୋଇପ଼ଡିଛି। ଭାରତ ସ୍ବାଧୀନ ହେବାର ୭୭ବର୍ଷ ପରେ ମଧ୍ଯ ଗମନାଗମନର ସୁବିଧାନ ଥିବାରୁ ସ୍ବାଭିମାନ ଅଞ୍ଚଳରେ ବିକାଶର ସବୁ ସ୍ବପ୍ନ ମଉଳି ପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post