***ସ୍ବାଧୀନତା ପରର ଚିତ୍ର***

0 142

ଇଂରାଜୀ ଶାସନ ହଟାଇବା ଲାଗି
କେତେ ଯେ ଶହୀଦ ହେଲେ…..
କାରାଗାରେ ସଢ଼ି ମୃତ୍ୟୁ ଆବୋରିଣ
ଫାଶୀ ଖୁଣ୍ଟେ ଚଢିଗଲେ….!!
ଆମ ନିଜ ଦେଶ ଚଳାଇବୁ ଆମେ
ସୁଖରେ ରହିବାକୁ ଆମେ…..
ସଞ୍ଚରିଲେ ଆଶା ଦେଖିଲେ ସପନ
ହଟ ହୋ ଇଂରାଜୀ ତୁମେ….!!
ବନ୍ଧୁକ ମୂନକୁ ଭୂକ୍ଷେପ ନକରି
ଛାତିରେ ଫୁଟିଲା ଗୁଳି….
କେତେ କେତେ ବୀର ସଂଗ୍ରାମୀ ପୁରୁଷ
ଭୂଇଁରେ ପଡ଼ିଲେ ଟଳି….!!
ରକ୍ତର ହୋଲି ଖେଳାଲା ସର୍ବତ୍ର
ସଂଗ୍ରାମ ଥମିଲା ନାହିଁ….
ଶେଷରେ ଭାରତ ଛାଡି ଇଂରାଜୀ
ସ୍ଵାଧୀନତା ଘୋଷଣା କହି….!!
ସବୁ ଦିନ ପାଇଁ ଗଲେ ଇଂରେଜ
ଆଉ ତ ଫେରିଲେ ନାହିଁ…..
ଆମରୀ ଦେଶକୁ ଆମ ଲୋକମାନେ
ଶାସନ କରିଲେ ରହି….!!
ଛସ୍ତୋରୀ ବର୍ଷ ସ୍ବାଧୀନ ଏ ଦେଶେ
କି ହୋଇଛି ସୁଖ ଶିରୀ….
ଗୋଟି ଗୋଟି କରି କହିଲେ ନସରେ
ଲମ୍ବିଛି ଦୁଃଖର ଡୋରୀ…..!!
କିଏ ମନ୍ତ୍ରୀ ହୋଇ ଦେଶ ସେବା ନାମେ
ଦେଶକୁ କରିଲା ଖୋଳ…..
ଗଣତନ୍ତ୍ର ନାମ ଗୁଣକୁ ଲୁଟିଲେ
ଗଣ ହତ୍ୟା ହେଲା କାଳ….!!
ମା’ ଭଉଣୀଙ୍କ ହରିଣ ସତିତ୍ବ
ଅନ୍ଯାୟ ଅନୀତ କଲେ…
ପ୍ରତିବାଦ କଲେ ମରଣ ଲଭିଲେ
ରକ୍ଷକ ଭକ୍ଷକ ହେଲେ…..!!
ପୋଲିସ ସୁରକ୍ଷା ଦେଲା ମନ୍ତ୍ରୀ ଯନ୍ତ୍ରୀ
ଆବର ଯେ ବିତ୍ତଶାଳୀ….
ଗରିବ ଜୀବନ ଇତର ସମାନ
ପାଇଲା ଯୁପରେ ବଳୀ….!!
ନ୍ୟାୟ ପାଇଁ ସିନା ଗଢା ନ୍ୟାୟାଳୟ
ନ୍ୟାୟତ ମିଳଇ ନାହିଁ….
ପ୍ରଭାବଶାଳୀଙ୍କ ପାଇଁ ନ୍ୟାୟାଳୟ
ଗରିବକୁ ନ୍ୟାୟ କାହିଁ….?
ଗରିବ ପେଟକୁ ନ ମିଳଇ ଅନ୍ନ
ଗରିବ ଦାଦନ ଯାଏ….
ନିର୍ଯାତନା ପାଇ ବେଠି ଖଟି ଖଟି
ଶବ ହୋଇ ଫେରୁ ଥାଏ….!!
ଗାଁ ଗାଁ ଦେଖ ଭୋକର ଭୂଗୋଳ
କଙ୍କାଳମୟ ଶରୀର…..
ନଡା ଛପର ଝାଟିମାଟି ଘର
ଚିରା କନା ଫର ଫର…!!
ରାସ୍ତା ନାହିଁ ପାଣି ନାହିଁ ପିଇବାକୁ
ପାଠଶାଳା ଜରାଜୀର୍ଣ୍ଣ….
ଗାଁ ର ସଭ୍ୟତା କେତେକ ଦୀନହୀନ
ସବୁଠି ବିଭତ୍ସ ବର୍ଣ୍ଣ…..!!
ପୋଲ ନାହିଁ ନଦୀ ପୂର୍ଣ୍ଣ ବନ୍ୟା ଜଳେ
ଗମନାଗମନ ଶୂନ୍ୟ….
ଗର୍ଭବତୀ ନାରୀ ନଦୀ ହୁଏ ପାରି
ସ୍ମରି ଚିତ୍ତେ ଭଗବାନ…..!!
ଦୁର୍ଦ୍ଦିନ ଦୁର୍ଦ୍ଦଶା ଭୋଗୁଥାଏ ଚଷା
ଋଣେ ବୁଡି ହତୋତ୍ସାହ…..
ବିଷ ପାନ କରି ଜୀବନକୁ ହାରି
ଜୀଇଁବାର ତୁଟେ ମୋହ….!!
ଉତ୍କଟ ବେକର ଗ୍ରାସିଛି ଭାରତେ
ବାପା ମା’ ସପନ ଚୂର୍ଣ୍ଣ…..
ପାଠ ପଢା ପୁଅ ଘରେ ବସି ବସି
ଦେହକୁ କଲାଣି କ୍ଷୁର୍ଣ୍ଣ…..!!
ହୁ ହୁ ବଢେ ବଜାର ଦରଟା
ମଧ୍ୟବିତ୍ତ ତ୍ରାହି ତ୍ରାହି….
କେଉଁ ସୁଖ ଅଛି ସ୍ବାଧୀନ ଭାରତେ
ଦୁଃଖି ଦୁଃଖ ସରେ ନାହିଁ….!!
କେଉଁଠି ଜଳୁଛି ଧର୍ମ ନାମେ ନିଆଁ
ଖଣ୍ଡ ଯୁଦ୍ଧ କେଉଁ ଠାରେ….
ବିବସ୍ତ୍ରା କରିଣ ନାରୀକୁ ଦାଣ୍ଡରେ
ବୁଲନ୍ତି ଆତ୍ମ ଗର୍ବରେ…..!!
ଜାତି ନାମେ ଦଙ୍ଗା ବର୍ଣ୍ଣ ଭେଦଭାବ
କେ କରେ ମୁଣ୍ଡେ ପରିଶ୍ରା….
ଛେପ ଚଟାଉଛି ନୀଚ ଜାତି କହି
ନ୍ୟାୟତ ନାହିଁ ଭରସା….!!
ନର ହତ୍ୟା ରାହାଜାନୀ ନିରନ୍ତର
ଶାନ୍ତି ନାହିଁ କେଉଁ ସ୍ଥାନେ….
ଚରଣ ଚୁତିଆ ସରକାରୀ କଳ
ଶୋଷଣ କରନ୍ତି ଜନେ….!!
କିବା ଲୋଡା ଏହି ସ୍ବାଧୀନ ବୋଲାଇ
ଯେଉଁଠି ଆନନ୍ଦ ନାହିଁ…..
ଘର ଢ଼ିଙ୍କି ଯଦି କୁମ୍ଭୀର ସାଜିବ
କାହାକୁ କହିବ ଯାଇ….!!

(ସଭାପତି, ଉତ୍କଳ ସାହିତ୍ୟ ସଂସଦ ମାଲକାନଗିରି)

(କବି କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.