ସ୍ଥାୟୀ ନିଯୁକ୍ତି ଦାବି ନେଇ ଆୟୁଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ, ରୋଗୀ ସେବା ବ୍ୟାହତ ।

0 1,053

ସାନଖେମୁଣ୍ଡି,୦୮/୧୦(ପିପିଟି): ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୨୦୦୭ ମସିହାରୁ ନିରବଚ୍ଛିନ୍ନ ଭାବେ ରୋଗୀସେବା ଯୋଗାଇ ଆସୁଥିବା ଆୟୁଷ ଡାକ୍ତର ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଗତ ୨ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅସହଯୋଗ ଆନ୍ଦୋଳନ ଜାରି ରହିଛି । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଏହା ଅଧୀନରେ ଥିବା ପୋଡ଼ାମାରି , କଙ୍କୋରଡ଼ା , ସାହାସପୁର , ଗୌତମୀ , ଡେଙ୍ଗାଉସ୍ତା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ଆନ୍ଦୋଳନରେ ସାମିଲ ହେବା ସହ ରୋଗୀ ସେବା ବ୍ୟାହତ ହୋଇଛି । ରୋଗୀ ସେବା ହେଉ ଅବା ଅନ୍ୟାନ୍ୟ ସ୍ବାସ୍ଥ୍ୟ ସେବା ଓ କାର୍ଯ୍ୟକ୍ରମ ମାନଙ୍କରେ ପ୍ରମୁଖ ଭୁମିକା ଗ୍ରହଣ କରୁଥିବା ଆୟୁଷ ଡାକ୍ତର ମାନଙ୍କ ଦାବି ପୁରଣରେ ସରକାର ଅବହେଳା କରିବା ସହ ଡାକ୍ତର ମାନଙ୍କୁ ଅଣଦେଖା ମଧ୍ୟ କରୁଛନ୍ତି । କୋଭିଡ ସମୟରେ ଆୟୁଷ ଡାକ୍ତର ମାନଙ୍କ ଭୂମିକା ବେଶ୍ ଗୁରୁତ୍ଵ ପୂର୍ଣ୍ଣ ରହିଛି ହେଲେ ବି ସରକାର ସେମାନଙ୍କୁ ଅଣଦେଖା କରୁଛନ୍ତି । ସରକାର ସେମାନଙ୍କୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ନିୟୋଜିତ କରିଥିଲେ ମଧ୍ୟ ଚାକିରି ନିୟମିତ କରିବା ଦିଗରେ କୌଣସି ପଦକ୍ଷେପ କରିନାହାନ୍ତି । ସ୍ଥାୟୀ ନିଯୁକ୍ତି ଦାବି ପୁରଣ ଲାଗି ଅଲ୍ ଓଡ଼ିଶା ଆୟୁଷ ଡାକ୍ତର ଆସୋସିଏସନ ଆହ୍ବାନକ୍ରମେ ଗତ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ଅନିର୍ଦ୍ଧିଷ୍ଟ କାଳ ଲାଗି ଗଞ୍ଜାମ ଜିଲ୍ଲାରେ ପ୍ରାୟ ୮୫ ଆୟୁଷ ଡାକ୍ତର ଅହିଂସା ମାର୍ଗରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିବା ଜଣା ପଡ଼ିଛି । ପୂର୍ବରୁ ଆୟୁଷ ଡାକ୍ତର ମାନେ ରୋଗୀ କଲ୍ୟାଣ ସମିତି କାର୍ଯ୍ୟ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଚାଳନା , ଲେବର ରୁମ୍ , ଅଣ ସଂକ୍ରାମକ ରୋଗର ନିରାକରଣ , ଜରୁରୀ କାଳୀନ ସେବା , ଜନନୀ ସୁରକ୍ଷା , କରୋନା ସମୟରେ ଜନ ସଚେତନତା , କୋଭିଡ୍ ପଜିଟିଭଙ୍କ ଘରୋଇ ଚିକିତ୍ସା ସହ ଟୀକାକରଣ , ଟି.ଏମ.ସି ପରିଦର୍ଶନ ତଥା ଅନ୍ୟାନ୍ୟ ଜାତୀୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବର୍ତ୍ତମାନ ସେମାନେ ଆୟୁଷ ଓପିଡି ବ୍ୟତୀତ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରଖିଛନ୍ତି । ଏନେଇ ସାନଖେମୁଣ୍ଡି ବ୍ଲକର ଆୟୁଷ ଡାକ୍ତର ଡ଼ା.ସତ୍ୟ ନାରାୟଣ ସାହୁ ( ଆଡପଡ଼ା ) , ମିରାବାଇ ପଣ୍ଡା ( ପୋଡ଼ାମାରି ) , ବିଦ୍ୟୁତପ୍ରଭା ଦାସ ( କଙ୍କୋରଡ଼ା ) , ସଂଯୁକ୍ତା ପାଣିଗ୍ରାହୀ ( ସାହସପୁର ) , ପ୍ରାଣକୃଷ୍ଣ ସାହୁ ( ଗୌତମୀ ) , କ୍ଷଣପ୍ରଭା ସେଠୀ ( ଡେଙ୍ଗାଉସ୍ତା ) ସରକାର ସେମାନଙ୍କ ଦାବି ପୁରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବୋଲି ଜଣାଇଛନ୍ତି । ଫଳରେ ଆୟୁଷ ଡାକ୍ତର ମାନେ ଘୋର ମାନସିକ , ଶାରୀରିକ ଓ ସାମାଜିକ ସମସ୍ୟା ଦେଇ ଗତି କରୁଛନ୍ତି ବୋଲି ଡ଼ା.ସତ୍ୟନାରାୟଣ ସାହୁ କହିଛନ୍ତି । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଯାହା ସାନଖେମୁଣ୍ଡି ବ୍ଲକର ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ ପରିବାରର ପ୍ରାଣ କେନ୍ଦ୍ର ବିନ୍ଦୁ ପାଲଟିଥିଲା ବେଳେ ଏବେ ସେଠି ଏଭଳି ସମସ୍ୟା ଦେଖି ଲୋକ ମାନଙ୍କ ସମସ୍ୟା ବଢ଼ିବାରେ ଲାଗିଲାଣି । ସରକାର ତୁରନ୍ତ ବାସ୍ତବ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ଼ ଦାବି ହେଉଛି।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.