ବ୍ରହ୍ମପୁର,୦୫/୦୮(ପିପିଟି):ସୋରଡା ବ୍ଲକର ୨୧ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ ହୋଇଛି। ସାମାଜିକ କର୍ମୀ ସମରଜିତ୍ ମହାନ୍ତି ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ଜାଲ ସାର୍ଟିଫିକେଟ ଦେଇ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ପାଇଛନ୍ତି। ୨୦୧୯ ଠାରୁ ପର୍ଯ୍ଯାୟ କ୍ରମେ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ହୋଇ ଆସୁଛି। ମାମଲା ମଧ୍ଯ ହାଇକୋର୍ଟ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରେ ତଦନ୍ତ ମନ୍ଥର ଗତିରେ ଚାଲିଛି। ଶ୍ରୀ ମହାନ୍ତି ସୋରଡା ବ୍ଲକର ଜାଲ ସାର୍ଟିଫିକେଟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ଯ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ, ରାଜ୍ଯ ପ୍ରକଳ୍ପ ସଂଯୋଜକ, ଓପେପା, କ୍ରାଇମବ୍ରାଞ୍ଚ,ଏସପି ଭିଜିଲାନ୍ସ, ଏସପି ଗଞ୍ଜାମ, ଜିଲ୍ଲାପାଳ ଗଞ୍ଜାମ, ଡିଇଓ ଓ ଡିପିସି ଗଞ୍ଜାମଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି । ପୂର୍ବରୁ ତିନିଜଣ ଜାଲ ସାର୍ଟିଫିକେଟ ଶିକ୍ଷକ ଶିକ୍ଷୟିତ୍ରୀ ଧରାପଡିଛନ୍ତି। ସ୍ବର୍ଣ୍ଣଲତା ସାହୁ, ସତ୍ଯନାରାୟଣ ସେଠୀ ଓ ବିନେନ୍ଦ୍ର କୁମାର ପ୍ରଧାନଙ୍କ ନାମରେ ସୋରଡା ବିଇଓ ଥାନାରେ ଏତଲା ଦେଇଛନ୍ତି। ବର୍ତ୍ତମାନ ଜଣେ ଶିକ୍ଷକଙ୍କ ସାର୍ଟିଫିକେଟ ଜାଲ ଚିହ୍ନଟ ହୋଇଥିବା ବିଶେଷ ସୂତ୍ରରୁ ଜଣା ପଡିଛି। ଚିହ୍ନଟ ହୋଇଥିବା ଶିକ୍ଷକ କୌଶଳରେ ଅନ୍ଯ ବ୍ଲକକୁ ବଦଳି ହୋଇଯାଇଛନ୍ତି।