ସେନା କର୍ମଚାରୀଙ୍କ ମହନୀୟତା; ଜନହିତକର କାର୍ଯ୍ୟରେ ଜନ୍ମଦିନ ପାଳନ ।

0 284

ଭଞ୍ଜନଗର,୦୧/୦୬(ପିପିଟି): ଦେଶ ସେବା ଓ ଗରୀବ ଲୋକଙ୍କ ଆବଶ୍ୟକତା ପୂରଣ ଲକ୍ଷରେ ଜଣେ ସ୍ଥଳ ସେନା କର୍ମଚାରୀ ତଥା ଯୁବ ସମାଜସେବୀ ଚିନ୍ମୟ ଦଳାଇ ମଙ୍ଗଳବାର ନିଜ ଜନ୍ମଦିନକୁ ଅଭିନବ ଉପାୟରେ ରାଷ୍ଟ୍ର ହିତରେ ପାଳନ କରିଛନ୍ତି।କର୍ମମୟ ଜୀବନକୁ ଦେଶ ମାତୃକା ର ସେବାରେ ଚିରଦିନ ପାଇଁ ଉତ୍ସର୍ଗ କରିଥିବା ଭାରତ ମାତାର ଯବାନ ଚିନ୍ମୟ ଆଜି ନିଜ ସ୍ଵନକ୍ଷତ୍ର ଦିବସ ଅବସରରେ ସାମାଜିକ ସେବା ଉଦ୍ଦେଶ୍ୟରେ ବହୁ ଜନ ହିତୈସି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।ସଡ଼କ ଦୁର୍ଘଟଣାରେ ନିଜ ଗୋଡ ହରାଇଥିବା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମର ପବିତ୍ର ବିଷୋୟୀଙ୍କ ପରିବାରର ଭରଣପୋଷଣ ସହ ୫ ପ୍ରାଣୀକୁଟୁମ୍ବଙ୍କ ଦୁଃଖ, ଦୁର୍ଦ୍ଦଶା ଦୂର କରିବା ନିମିତ୍ତ ଚିନ୍ମୟ ନିଜ ମାସିକ ଦରମାକୁ ପବିତ୍ରଙ୍କୁ ଆତ୍ମ ନିର୍ଭର କରିବା ପାଇଁ ଏକ ରାସନ୍ ଦୋକାନ ଖୋଲିଛନ୍ତି। ସେହିପରି ଭଞ୍ଜନଗର ନିକଟସ୍ଥ ଏକ ଉପାନ୍ତ ଅଞ୍ଚଳ ତଡ଼ମା ଗ୍ରାମରେ ଅସହାୟ ତଥା ନିରୀହ ଶିଶୁ ମାନଙ୍କ ମୁଖରେ ହସ ପ୍ରସ୍ଫୁଟିତ କରିବା ପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାରର ପାଠ୍ୟ ଉପଯୋଗୀ ଉପକରଣ ବଣ୍ଟନ କରିବା ସହ କିଛି ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରିଥିଲେ । ଏଥିସହ ସେମାନଙ୍କ ପାଠପଢା କୁ ସୁଦୃଢ଼ କରିବା ପାଇଁ ଏକ ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଏହାପରେ ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ କେ. ରାଣୀପଡ଼ା ଗ୍ରାମର ଜଣେ ମେଧାବୀ ଅନାଥ ଛାତ୍ର ବିକାଶର ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢିବା ପାଇଁ ମାସିକ ହଷ୍ଟେଲ ଖର୍ଚ୍ଚ ୪,୫୦୦ଟଙ୍କା ଆବଶ୍ୟକ ହେଉଥିବାରୁ ତାହାର ଦୁଇ ବର୍ଷ ର ସମସ୍ତ ହଷ୍ଟେଲ ଖର୍ଚ୍ଚ ଚିନ୍ମୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଚିନ୍ମୟ ନିଜ ଜନ୍ମଦିନକୁ ସ୍ମରଣୀୟ କରିବା ସହ ଗୁରୁଜନଙ୍କ ଆଶୀର୍ବାଦ ନିମିତ୍ତ ଭଞ୍ଜନଗର ନିକଟରେ ଥିବା ଚିଦାନନ୍ଦ କୁଷ୍ଠାଶ୍ରମରେ ସମସ୍ତ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ,ଓଡ଼ିଶା ର ସମସ୍ତ ସଦସ୍ୟ ବୃନ୍ଦ ସହଯୋଗ କରିଥିବାରୁ ଚିନ୍ମୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।ଚିନ୍ମୟଙ୍କ ସମାଜସେବା କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିବା ସହ ଅଞ୍ଚଳବାସୀ ଚିନ୍ମୟଙ୍କ ଉଜ୍ଜଳ ଭବିଷ୍ୟତ ଓ ଦୀର୍ଘ ଜୀବନ କାମନା କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ।

Leave A Reply

Your email address will not be published.