ସୁବର୍ଣ୍ଣପୁର,୦୩/୦୭(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ୭୨ତମ ବନ ମହୋତ୍ସବ ସୋନପୁର ସହର ନିକଟସ୍ଥ ଝିଙ୍କିଠାରେ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଯୋଜନା ଓ ସଂଯୋଜନା, ବାଣିଜ୍ୟ ଓ ପରିବହନ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଗଛ ବଞ୍ଚିଲେ ଆମେ ବଞ୍ଚିବା ବୋଲି କହିବା ସହ ଅଧିକରୁ ଅଧିକ ବୃକ୍ଷ ରୋପଣ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତିା ଏହା ସହ ପରିବେଶ ସୁରକ୍ଷା,ପ୍ରଦୂଷଣ ନିୟନ୍ତ୍ରଣ କରିବା,ଛାୟା ପ୍ରଦାନକାରି ବୃକ୍ଷ ରୋପଣ କରିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ । ବୃକ୍ଷ ହିଁ ଜୀବନ ଏବଂ ସାରା ବିଶ୍ୱରେ କରୋନା ବିପତ୍ତି ସମୟରେ ଅମ୍ଳଜାନ ଅଭାବକୁ ଦୂର କରିବା ପାଇଁ ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ଦିଗରେ ସମସ୍ତଙ୍କର ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ମହୋତ୍ସବ ଅବସରରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ, ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ସୀତାରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଜିଲ୍ଲା ବନଖଣ୍ଡ ଅଧିକାରୀ, ସୁବର୍ଣ୍ଣପୁର ସୁଶାନ୍ତ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସିଏଫ ସୁଶୀଲ କୁମାର ତ୍ରିପାଠୀ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ବୃକ୍ଷ ଓ ପ୍ରକୃତିକୁ ଭଲ ପାଇ ବୃକ୍ଷ ରୋପଣ ଓ ଉଚିତ ରକ୍ଷଣା ବେକ୍ଷଣ ସହ ଜଙ୍ଗଲ ସୃଷ୍ଟି କରି ପରିବେଶକୁ ସୁସ୍ଥ ଏବଂ ଶୃଙ୍ଖଳିତ ରଖିବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ହେତୁ ଉଲୁଣ୍ଡା ବ୍ଲକ ବାଘପାଲି ବନ ସଂରକ୍ଷଣ ସମିତି ଓ ସୋନପୁର ଉପଖଣ୍ଡ କନ୍ଧପାଲି ବନ ସଂରକ୍ଷଣ ସମିତିଙ୍କୁ ଅତିଥି ମାନେ ବିଜୁ ପଟ୍ଟନାୟକ ମାନପତ୍ର ସହ ୨୦ ହଜାର ଟଙ୍କା ଲେଖାଁଏ ପୁରସ୍କାର ରାଶି ପ୍ରଦାନ କରିଥିଲେ । ସମସ୍ତ ଅତିଥି ବୃନ୍ଦ ଏହି ଅବସରରେ ବୃକ୍ଷ ରୋପଣ କରି “ଗଛ ଲଗାଇବା ଜୀବନ ବଞ୍ଚାଇବା” ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ବନମହୋତ୍ସବ ସପ୍ତାହ ପାଳନ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଜୁଲାଇ ୭ ତାରିଖରେ ସମାପନ ହେବ । ଏହି ସମୟ ମଧ୍ୟରେ ଜିଲ୍ଲାର ସୋନପୁର, ଉଲୁଣ୍ଡା ଓ ବିନିକା ବନ ସୁରକ୍ଷା ସମିତି ତରଫରୁ ସମଗ୍ର ଅଞ୍ଚଳକୁ ସବୁଜ ସୁନ୍ଦର କରିବା ପାଇଁ ସ୍ଥାନୀୟ ଜନ ପ୍ରତିନିଧି, ଭିଏସଏସ କର୍ମକର୍ତ୍ତାଙ୍କ ସହଯୋଗରେ ୮ଲକ୍ଷ ୧୬ ହଜାର ୧୨୦ ବିଭିନ୍ନ କିସମର ଜଙ୍ଗଲୀ ଦୀର୍ଘସ୍ଥାୟୀ ବୃକ୍ଷ ତଥା ଔଷଧୀୟ ବୃକ୍ଷ ରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଆଜିର ଏହି ଅବସରରେ ନିକଟସ୍ଥ ବନ ସଂରକ୍ଷଣ ସମିତିର କର୍ମକର୍ତ୍ତା, ବୁଦ୍ଧିଜୀବୀ, ସାମ୍ବାଦିକ, ଜିଲ୍ଲା ସ୍ତରୀୟ ଅଧିକାରୀ, ବନ କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ ।
(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)