ଯାଜପୁର,୩୦/୧୨(ବିଜେପି): ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବୁଧବାର ଦାନଗଦୀ ବ୍ଲକ ଅଂଚଳର ବହୁ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ସୁକିନ୍ଦା ନିର୍ବାଚନ ମଣ୍ଡଳି ଯୁବ ବିଜେଡ଼ି ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଦେଉଳକଣ ପଞ୍ଚାୟତ ବିଜେପିର ବରିଷ୍ଠ କର୍ମୀ ପ୍ରଭାକର ମହାନ୍ତ, ଶଙ୍କରଶଣ ଦାସ, ଅଭିରାମ ପ୍ରଧାନଙ୍କ ସମେତ ନଚ୍ଛିପୁରା ପଞ୍ଚାୟତ ବିଜେପି ସଭାପତି ଚକ୍ରଧର ପ୍ରଧାନ ଓ ୨୦ ରୁ ଅଧିକ ବିଜେପି କର୍ମୀ ବିଜେପି ଛାଡ଼ି ବିଜେଡିରେ ଯୋଗଦାନ କରିଛନ୍ତି । ବିଧାୟକଙ୍କ ଭୁବନେଶ୍ଵରସ୍ଥିତ ସରକାରୀ ବାସ ଭବନରେ ଏହି ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଧାୟକ ସେମାନଙ୍କୁ ଦଳୀୟ ଉତ୍ତରିୟ ପକାଇ ଦଳକୁ ସ୍ଵାଗତ କରିଥିଲେ । ପରେ ସମସ୍ତେ ରାଜ୍ୟର ପ୍ରାକ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇଙ୍କୁ ଭେଟିଥିବା ବେଳେ ଏହି ମିଶ୍ରଣ ଦଳକୁ ଆହୁରି ସଙ୍ଗଠିତ ଓ ସୁଦୃଢ କରିବ ବୋଲି ଶ୍ରୀ ଘଡ଼ାଇ ମତ ପୋଷଣ କରିଥିଲେ ।