ମାଲକାନଗିରି,୦୯/୦୮(ପିପିଟି): ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଡିରେଗୁଲେସନ୍ ରାଜ୍ଯ ସରକାରଙ୍କ ଦ୍ବାରା ଲାଗୁ ହେବା ଫଳରେ କେନ୍ଦୁପତ୍ର କ୍ରୟ ବିକ୍ରୟ ତଥା ଆନ୍ତଃରାଜ୍ଯ ପରିବହନ ଉପରେ ଯେଉଁ କଟକଣାଥିଲା,ତାହା କୋହଳ ହେବା ଯୋଗୁୁଁ କେନ୍ଦୁପତ୍ର ମାଫିଆମାନେ କେନ୍ଦୁପତ୍ର ଚୋରା ଚାଲାଣ କରି କୋଟିକୋଟି ଟଙ୍କା ଉପାର୍ଜନ କରୁଥିବା ଜଣା ପଡିଛି ।ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ କେନ୍ଦୁପତ୍ର ସରକାରୀ ସ୍ତରରେ କ୍ରୟ କରାଯାଉଥିବା ବେଳେ ବେସରକାରୀ ଭାବେ ମଧ୍ଯ କରାଯାଉଛି । କିଛି ବେସରକାରୀ ଏଜେନ୍ସିମାନେ କେନ୍ଦୁପତ୍ର ତୋଳାଳୀମାନଙ୍କୁ କେରୀ ପ୍ରତି ସରକାରୀ ମୂଲ୍ଯ ଠାରୁ ଅଧିକ ପଇସା ଦେବାର ପ୍ରଲୋଭନ ଦେଖାଇ କ୍ରୟ କରୁଥିବା ବେଳେ ଅଧିକ ଟଙ୍କା ପାଇବା ଆଶାରେ ସ୍ଥାନୀୟ କେନ୍ଦୁପତ୍ର ତୋଳାଳୀମାନେ ବେସରକାରୀ ଏଜେନ୍ସିମାନଙ୍କୁ କେନ୍ଦୁପତ୍ର ଦେଇ ଠକାମୀର ଶିକାର ହୋଇଥାନ୍ତି । ଏହିପରି ଠକାମୀର ଶିକାର ବିଶେଷ କରି ମାଲକାନଗିରି ଜିଲ୍ଲାର ଆଦିବାସୀ ସଂପ୍ରଦାୟର କେନ୍ଦୁପତ୍ର ତୋଳାଳୀମାନେ ଶିକାର ହୋଇଥାନ୍ତି । ତେବେ ଆଦିବାସୀମାନେ ସରଳ ଏବଂ ଅଶିକ୍ଷି ହେବା ଯୋଗୁଁ ସଦାସର୍ବଦା ପ୍ରାଇଭେଟ୍ ଏଜେନ୍ସି ଦ୍ବାରା ଠକାମିର ସମ୍ମଖିନ ହୋଇଥାନ୍ତି । ତେବେ ନେତା ଏବଂ ନେତୃତ୍ବର ଘୋର ଅଭାବ ଯୋଗୁଁ ମାଲକାନଗିରି ଜିଲ୍ଲାର ଆଦିବାସୀ କେନ୍ଦୁପତ୍ର ତୋଳାଳୀମାନେ ପ୍ରତି ବର୍ଷ ପ୍ରାଇଭେଟ୍ ପାର୍ଟି ଦ୍ବାରା ଶୋଷଣର ଶିକାର ହୋଇଥାନ୍ତି । ମାଲକାନଗିରି ଜିଲ୍ଲାରେ ପ୍ରାଇଭେଟ ପାର୍ଟିମାନେ କେନ୍ଦୁପତ୍ର କ୍ରୟ ଲାଗି ସ୍ଥାନୀୟ ପଞ୍ଚାୟତରୁ ଲାଇସେବ୍ସ ପାଇଥାନ୍ତି । ତେବ ସରପଞ୍ଚ ଏବଂ ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀଙ୍କ ଠାରୁ କେନ୍ଦୁପତ୍ର ଲାଇସେନ ପ୍ରାପ୍ତ କଲା ପରେ ପ୍ରଇଭେଟ କେନ୍ଦୁପତ୍ର କ୍ରୟ ଏଜେନ୍ସିମାନେ ଆଦିବାସୀ କେନ୍ଦୁପତ୍ର ତୋଳାଳୀମାନଙ୍କ ଠାରୁ ଅଧିକ ଟଙ୍କା କେରୀ ପ୍ରତି ଦେବାର ପ୍ରଲୋଭନ ଦେଖାଇ କେନ୍ଦୁପତ୍ର ସଂଗ୍ରହ କରି ଗୋଦାମରେ ଗଛିତ କରନ୍ତି । ସେହି ପତ୍ରକୁ କିଛି ମାସ ଅପେକ୍ଷା କଲା ପରେ ବିକ୍ରୟ ହୋଇଥାଏ ଏବଂ ପରବର୍ତ୍ତିୀ ସମୟରେ ପ୍ରାଇଭେଟ ଏଜେନ୍ସି ମାନେ ଗାଁକୁ ଯାଇ କିଛି କିଛି ଟଙ୍କା କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ଦେଇ ପୁଣି ପରେ ଟଙ୍କା ପ୍ରଦାନ କରାଯିବ କହି ଆଉ ଧରା ଛୁଆଁ ଦିଅନ୍ତି ନାହିଁ । କେନ୍ଦୁପତ୍ରକୁ ଅବାଧ କ୍ରୟ ବିକ୍ରୟ କଲେ ବିଶେଷ କରି ଆଦିବାସୀ ଅଧ୍ଯୁସିତ ଜିଲ୍ଲାର କେନ୍ଦୁପତ୍ର ତୋଳାଳୀମାନେ ଆର୍ଥିକ କ୍ଷେତ୍ରରେ ଲାଭାନ୍ମିତ ହେବାର ଯେଉଁ ପରିକଳ୍ପନା ଓଡିଶା ସରକାର କରିଛନ୍ତି ଏବଂ କେନ୍ଦୁପତ୍ର ପାଇଁ ପୂର୍ବ ଆଇନକୁ ପରିବର୍ତ୍ତନ କରି
ଡିରେଗୁଲେସନ ଆଇନ ପ୍ରଣୟନ କରିବା ଫଳରେ କେନ୍ଦୁପତ୍ର ମାଫିଆମାନଙ୍କ ପ୍ରତି ପରିବହନ ଏବଂ ତଦନ୍ତ ଉପରେ ଯେଉଁ କଟକଣା ବନ ବିଭାଗର କର୍ମଚାରୀମାନେ କରିବା କଥା, ସେମାନେ କରିବାରେ ଅକ୍ଷମ ହୋଇ ପଡିଛିନ୍ତି । କହିବାକୁ ଗଲେ ବନବିଭାଗ କର୍ମଚାରୀମାନେ କେନ୍ଦୁପତ୍ର ଡିରେଗୁଲେସନ ହେବାରୁ କ୍ଷମତା ଚ୍ଯୁତ ଅବସ୍ଥାରେ ଥିବା କୁହାଯାଇଛି । ଫଳ ସ୍ବରୂପ ମାଲକାନଗିରି ଜିଲ୍ଲାରେ ବିଭିନ୍ନ କେନ୍ଦୁପତ୍ର ଗୋଦାମରେ ଛତିଶଗଡରୁ କେନ୍ଦୁପତ୍ର ପରିବହନ କରି ଏଠାରେ ଗଛିତ କରାଯାଇଛି । ବର୍ତ୍ତମାନ ଛତିଶଗଡର ସୁକୁମା ଜିଲ୍ଲାର. ସ୍ଥାନୀୟ କେନ୍ଦୁପତ୍ର ତୋଳାଳୀମାନେ ଦେଢ କୋଟି ଟଙ୍କାର କେନ୍ଦୁପତ୍ର ଟଙ୍କା ପାଇ ନଥିବାରୁ ସୁକୁମା ବନ ବିଭାକୁ ଶହ ଶହ କେବ୍ଦୁୁତ୍ର ତୋଳାଳୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲିଖିତ ଅଭିଯୋଗ କରିଥିଲେ । ଫଳରେ ସୁକୁମା ବନ ବିଭାଗର ଅଫିସରମାନେ ବେଆଇନ ଭାବେ କେନ୍ଦୁପତ୍ର ରଖାଯାଇଥିବା ଓଡିଶାର ମାଲକାନଗିରି ଜିଲ୍ଲାର କେନ୍ଦୁପତ୍ର ଗୋଦାମଗୁଡିକରେ ଛାପା ମାରିଥିଲେ । ଫଳରେ ଏମଭି-୩ ଗ୍ରାମ ନିକଟସ୍ଥ କେନ୍ଦୁପତ୍ର ଗୋଦାମରୁ ଗତ ତା:୬.୮.୨୦୨୨ ଦିନ ୩୫୦ ବସ୍ତା କେନ୍ଦୁପତ୍ର ସୁକୁମା ବନ ବିଭାଗ ଅଧିକାରୀମାନେ ଟ୍ରକରେ ଲୋଡ କରି ନେଇଯାଇଥିଲେ । ଏହା ସହ ବାହାଦୂର ଖାଁକୁ ଗିରଫ କରାଯ୩ଇଥିବା ବେଳେ ମୁଖ୍ଯ ଆସାମୀ ଗୁଲାମ ଖାଁ ଫେରାର୍ ରହିଛି । ତେବେ ଗୁଲାମ ଖାଁର ୩,୯୯୦ ବସ୍ତା କେନ୍ଦୁପତ୍ର ବର୍ତ୍ତମାନ ମାଲକାନଗିରି ଜିଲ୍ଲାର ଏମଭି-୧୭ ଗ୍ରାମର କେନ୍ଦୁପତ୍ର ଗୋଦାମରେ ଗଛିତ ଥିବାର ଜଣାପଡିବା ପରେ ସୁକୁମା ବନ ଅଧିକାରୀମାନେ,ସେ ସବୁ ନେବା ପାଇଁ ଆଜି ମାଲକାନଗିରିରେ ପହଞ୍ଚି ଥିଲେ । କିନ୍ତୁ ଗୁଲାମ ଖାଁ ମାଲକାନଗିରି ଜିଲ୍ଲାର ମୋଟୁ,ମାଲାଭରମ୍ ଏବଂ ପୁସଗୁଡା ପଞ୍ଚାୟତରୁ କେନ୍ଦୁପତ୍ର କ୍ରୟ କରି ଏମଭି-୧୬ ଗ୍ରାମର କେନ୍ଦୁପତ୍ର ଗୋଦାମରେ ଗଛିତ କରି ରଖିଥିବା ଏବଂ ସ୍ଥାନୀୟ କେନ୍ଦୁପତ୍ର ତୋଳାଳୀଙ୍କୁ ୭୫ ଲକ୍ଷ ଟଙ୍କା ଦେଇ ନଥିବା ଅଭିଯୋଗ ହେଲା ପରେ ଆଜି ମାଲକାନଗିରି ପୋଲିସ ଉପସ୍ଥିତିରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ ଏବଂ ସୁକୁମା ବନ ଅଧିକାରୀଙ୍କ ଉପସ୍ଥିତିରେ ଆଜି ଗୋଦାମକୁ ସିଲ୍ କରାଯାଇଛି । ତେବେ ଛତିଶଗଡ ରାଜ୍ଯର ସୁକୁମା ଜିଲ୍ଲା ଏବଂ ଓଡିଶାର ମାଲକାନଗିରି ଜିଲ୍ଲାର ଆଦିବାସୀ କେନ୍ଦୁପତ୍ର ତୋଳାଳୀମାନେ କେବେ ସେମାନଙ୍କ କେନ୍ଦୁପତ୍ର ଟଙ୍କା ପାଇବେ ଆଗାମୀ ଦିନରେ ଜଣାପଡିବ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post