ମାଲକାନଗିରି,୧୧/୦୩(ପିପିଟି): ମାଲକାନଗିରି ଜିଲ୍ଲାର ପଡ଼ିଆ ବ୍ଲକର ମାଟେରୁ ଠାରେ ବହୁ ପ୍ରତିକ୍ଷୀତ ସିମେଣ୍ଟ କାରଖାନା ପ୍ରତିଷ୍ଠା ପାଇଁ ଡାଲମିୟା କମ୍ପାନୀର ଷଢଯନ୍ତ୍ର ଚାଲିଛି । ଏହାକୁ ସ୍ଥାନୀୟ ଆଦିବାସୀମାନେ ଘୋର ବିରୋଧ କରିଛନ୍ତି । କଛି ମାସ ତଳେ ଜମି ଅଧିଗ୍ରହଣ ଲାଗି ଘେରବନ୍ଦୀ ପାଇଁ ଖୁଣ୍ଟ ପୋତିବାକୁ ଆସିଥିବା ଡାଲମିୟା ସିମେଣ୍ଟ କମ୍ପାନୀର ଲୋକମାନେ ସ୍ଥାନୀୟ ଆଦିବାସୀଙ୍କ ବିରୋଧର ଶିକାର ହୋଇଥିବା ବେଳେ ସେମାନେ ଉକ୍ତ କାର୍ଯ୍ଯରେ ବିଫଳ ହେବାପର. ପୁନଶ୍ଚ ଆସନ୍ତା କାଲି ମାର୍ଚ୍ଚ ୧୨ ତାରିଖରେ ପ୍ରଶାସନ ପକ୍ଷରୁ ମାଟେରୁ ସିମେଣ୍ଟ କାରଖାନା ଅଞ୍ଚଳରେ ଜନଶୁଣାଣି କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଆଦିବାସୀ ମାନେ ବିରୋଧ କରିବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ନେତା ଏବଂ ଆଦିବାସୀ ଲୋକମାନଙ୍କୁ ମନାଇବାକୁ ବିଭିନ୍ନ ମହଲରେ କମ୍ପାନୀ ପକ୍ଷରୁ ପ୍ରଲୋଭିତ କରାଯାଉଛି । ମୈତ୍ରୀ ନାମକ ଏକ ସଂସ୍ଥାକୁ ମଧ୍ୟସ୍ଥ କରିବା ଲାଗି ଲୋକମାନଙ୍କୁ ଟଙ୍କା ଦେଇ ମୁଁହ ବନ୍ଦ କରିବାକୁ ଚାପ ପ୍ରୟୋଗ କରାଯାଉଛି । ମାଲକାନଗିରିର କେତେକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଘରକୁ ଗିପ୍ଟି ପ୍ୟାକେଟ୍ ପଠାଇବା ଅଭିଯୋଗ ହେଉଛି। ଅପରପକ୍ଷରେ ଏହି କାରଖାନା କରାଇ ନଦେବା ଲାଗି ସ୍ଥାନୀୟ ଆଦିବାସୀ ମାନେ ଘୋର ବିରୋଧ କରୁଛନ୍ତି । ମରିବୁ ପଛେ ଇଞ୍ଚେ ଜମି ଛାଡ଼ିବୁ ନାହିଁ ବୋଲି ଆଦିବାସୀ ମାନେ ଯିଦରେ ଅଟଳ ଥିବା ବେଳେ ବିରୋଧି ଦଳ ବିଧାୟକ କାହିଁକି ନିରବ ନିଶ୍ଚଳ ରହିଛନ୍ତି ସର୍ବତ୍ର ଚର୍ଚ୍ଚା ହେଉଛି। ଜିଲ୍ଲାରେ ବିଶିନ୍ନ ଆଦିବାସୀ ସଙ୍ଗଠନ ରହିଥିଲେ ମଧ୍ଯ ସେମାନେ ନିରବ ଦ୍ରଷ୍ଟା ସାଜିଛନ୍ତି । ପ୍ରକାଶ ଥାଉ କି, ମାଟେରୁ ଅଞ୍ଚଳରେ ହଜାର ହଜାର ଏକର ଜମିରେ ଧଳା ଚୁନ ପଥର ଗଛିତ ରହିଛି । କାରଖାନା ନିର୍ମାଣ ହେଲେ ଆଦିବାସୀଙ୍କ ଭିଟାମାଟି ହରାଇବା ସହ ଜୀବନ ଜୀବୀକା ବିପନ୍ନ ହେବ । ନିଜର ବଂଶାନୁକ୍ରମିକ ଚାଷ ଜମି ଏବଂ ଜଙ୍ଗଲ ଜମି ସିମେଣ୍ଟ କମ୍ପାନୀ ନିକଟକୁ ପଳାଯିବା ଭୟରେ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ ଲାଗିରହିଛି । ଏପରିକି ମୁହଁ ନଖୋଲିବା ପାଇଁ ରାଜନେତା, ମିଡ଼ିଆ ହାଉସ ମହଲରେ ବ୍ୟାପକ ଅର୍ଥ କାରବାର କରାଯାଇ ଏହି କମ୍ପାନୀ କାରଖାନା ନିର୍ମାଣ ଲାଗି କରିବାକୁ ପ୍ରୟାସ ଜାରି ରଖିଛି । ଆସନ୍ତା କାଲି ଜନଶୁଣାଣୀ ପୋଲିସ ବଳୟରେ ହେବାର ସୂଚନା ପାଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଯଦି ସିମେଣ୍ଟ କାରଖାନା ନିର୍ମାଣ ହୁଏ, ଉକ୍ତ ଅଞ୍ଚଳରେ ବାୟୁ ପ୍ରଦ୍ଯୁଷଣ ହୋଇ ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ଶହ ଶହ ଲୋକ ଅକାଳରେ ମୃତ୍ୟୁ ବରଣ କରିବେ ।ପରିବେଶ ଉପରେ କୁପ୍ରଭାବ ପଡିବ । ଅରଣ୍ଯରେ ସିମେଣ୍ଟର ଆସ୍ତରଣ ପଡି ଜଙ୍ଗଲ ସଂପଦ ଧ୍ବଂସ ହେବା ସହ ନଦୀ ଏବଂ ଝରଣାର ଜଳ ଦ୍ଯୁଷିତ ହେବ । ସେହି ଜଳକୁ ପାନ କଲେ ପଶୁ ପକ୍ଷୀମାନେ ଅକାଳରେ ପ୍ରାଣତ୍ଯାଗ କରିବେ । ଯେଉଁ ଅଞ୍ଚଳରେ ସିମେଣ୍ଟ କାରଖାନା ହେବ ଦୀର୍ଘ ୨୦ କିମି ପର୍ଯ୍ଯନ୍ତ କୃଷି ଜମିରେ ଫସଲ ହେବ ନାହିଁ । ଏ ସବୁ ଅଞ୍ଚଳ ସେମେଣ୍ଟ ଗୁଣ୍ଡରେ ପରିପୂର୍ଣ୍ଣ ହୋଇ ଜମିଗୁଡିକ ସଂପୂର୍ଣ୍ଣ ବନ୍ଧ୍ଯାକରଣ ହେବ । ଯେଉଁ ବିଜେଡି ସରକାରକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମାଲକାନଗିରି ମତଦାତାମାନେ ୧୫ଟି ଜିଲ୍ଲା ପରିଷଦ ଆସନରୁ ୧୨ଟିରେ ଜୟଯୁକ୍ତ କରାଇଲେ, ସେହି ବିଜେଡି ବର୍ତ୍ତମାନ ଡାଲମିଆ କଂପାନୀ ହାତରେ ସିମେଣ୍ଟ କାରଖାନା ନିର୍ମାଣ ଲାଗି ସମସ୍ତ ପ୍ରକାର କଳ ବଳ କୌଶଳ ପ୍ରୟୋଗ କରୁଛି, ଯାହାକି ମାଲକାନଗିରି ଜିଲ୍ଲା ପାଇଁ ବହୁ କ୍ଷତିକାରକ ପ୍ରମାଣିତ ହେବାକୁ ଯାଉଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)