ପୋଲସରା,୨୮/୦୬(ପିପିଟି): ଗଞ୍ଜାମ ଜିଲ୍ଲା ବିଶେଷ କରି ପୋଲସରା ଅଞ୍ଚଳରେ ନିର୍ଦ୍ଦିଷ୍ଟ କେତେକ ଜାତି ସଂଗଠନ ପକ୍ଷରୁ ସାମାଜିକ ବାସନ୍ଦ କରା ଯାଉଥିବା ରୁ ଏହା ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ପୋଲସରା ଥାନା ଅନ୍ତର୍ଗତ ବେଲଗାଁ ଠାରେ ଗୋଟିଏ ବୈଠକ ଅନୁଷ୍ଠିତ ହୋଇଥିଲା। ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପୋଲିସ ସମିତି ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ବୈଠକରେ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡ଼ା ଓ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଳିକ ଯୋଗ ଦେଇ ଏହି କୁ ପ୍ରଥା ର ବିଲୋପ କରିବା ପାଇଁ ପରାମର୍ଶ ଦେଇଥିଲେ। ଉଭୟ ପରିଡ଼ା ଓ ମଳିକ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ ଯୋଗୁଁ ମଣିଷ ଆଜି ଚନ୍ଦ୍ର ରେ ବସତି ସ୍ଥାପନ କରିବା ପାଇଁ ଯାଉଛି। ଏପରି ସ୍ଥଳେ କିଛି ବ୍ୟକ୍ତି ଓ ସଂଗଠନ ସାମନ୍ତବାଦୀ ଯୁଗ ର କୁତ୍ସିତ ଜାତି ପ୍ରଥାକୁ ଆଧାର କରି ଆଇନ କାନୁନ ଓ ସମ୍ବିଧାନ ବିରୋଧୀ ସାମାଜିକ ବାସନ୍ଦ କରୁଛନ୍ତି। ଏହା ଦ୍ୱାରା ବାସନ୍ଦ ହେଉଥିବା ପରିବାର ସାମାଜିକ , ଆର୍ଥିକ ଓ ମାନସିକ ଉତ୍ପିଡନ ଶିକାର ହେଉଛନ୍ତି। ଏହି କାରଣରୁ କେତେକ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ବାଧ୍ୟ ହେଉଛନ୍ତି। ଏଣୁ ଏହି କୁ ପ୍ରଥା ର ବିଲୋପ ପାଇଁ ସମାଜର ସଚେତନ ନାଗରିକ ମାନେ ଆଗେଇ ଆସନ୍ତୁ ପୋଲିସ ଓ ପ୍ରଶାସନ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବ ବୋଲି ଶ୍ରୀ ପରିଡ଼ା ଓ ମଳିକ ପ୍ରତିଶ୍ରୁତି ଦେଇଥିଲେ। ବୈଠକରେ ଗ୍ରାମବାସୀଙ୍କ ସମେତ ପଞ୍ଚାୟତର ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା , ଆଶା କର୍ମୀ। ମହିଳା ସ୍ୱୟଂ ସହାୟିକା , ସରପଞ୍ଚ ମନୋଜ କୁମାର ପ୍ରଧାନ , ବିଏସ୍ଓ ଶୁଭ୍ରାଂଶୁ ପୃଷ୍ଟି , ପିଆଇଓ ଅରୁଣ କୁମାର ମିଶ୍ର , ଏସ୍ଆଇ ପ୍ରକାଶ ଚନ୍ଦ୍ର ବେହେରା ଏବଂ ସୁସ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)
Prev Post