ସାନଖେମୁଣ୍ଡି ଅଞ୍ଚଳରୁ ଏନଜିଟିରେ କଳାପଥର ଖନନ ମାମଲା; ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ।

0 1,576

ବ୍ରହ୍ମପୁର,୩୦/୦୮(ପିପିଟି); ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଟିଗୁଡା ଅଞ୍ଚଳରୁ କଳାପଥର ଖନନ ପ୍ରସଙ୍ଗରେ ମାମଲାର ଶୁଣାଣି କରି ସ୍ଥାନୀୟ ତହସିଲଦାରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଗଞ୍ଜାମ ଜିଲ୍ଲାପାଳଙ୍କୁ ଆଦେଶ ଦେଇଛନ୍ତି । ଆବେଦନକାରି ଶତ୍ରୁଘନ ଜେନାଙ୍କ ପକ୍ଷରୁ ରୁଜୁ କରିଥିବା ମାମଲାର ଶୁଣାଣି କରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ବିଚାର ପତି ବି.ଅମିତ୍ ସ୍ତାଲେକର ଓ ବିଚାର ପତି ଶୈବାଳ ଦାସ ଗୁପ୍ତାଙ୍କୁ ନେଇଁ ଗଠିତ ଖଣ୍ଡପିଠରେ ଏପରି ଆଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ଏହି ମାମଲାକୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ପରିଚାଳନା ଦାୟିତ୍ବରେ ଅଛନ୍ତି । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ତହସିଲ ଅଧିନସ୍ତ ପଟିଗୁଡ଼ା ଅଞ୍ଚଳରୁ ବେଆଇନ ଭାବେ କଳା ପଥର ଖନନ କରାଯାଉଥିବା ନେଇ ଆବେଦନକାରୀ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାମଲାରେ ଦର୍ଶାଯାଇଥିଲା ଯେ ଗତ ୨୦୧୯ ମାର୍ଚ୍ଚ ୩୧ ତାରିଖରୁ ଲିଜ୍ ଅବଧି ଶେଷ ହୋଇଥିଲେ ସୁଦ୍ଧା ବେଆଇନ ଭାବରେ ଏଠାରୁ ରାସ୍ତା ତିଆରି ନିମନ୍ତେ ବ୍ୟବହୃତ କଳା ପଥର ଖନନ କରାଯାଇଛି । ଏ ସମ୍ପର୍କରେ ଆବେଦନକାରୀ ସ୍ଥାନୀୟ ଜିଲ୍ଲାପାଳ ,। ତହସିଲଦାରଙ୍କୁ ଅବଗତ କରାଇଥିଲେ ସୁଦ୍ଧା ଏଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଫଳରେ ଆବେଦନ କାରି ବାଧ୍ୟ ହୋଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ରେ ମାମଲା ରୁଜୁ କରିଥିଲେ । ଜାତୀୟ ଟ୍ରିବ୍ୟୁନାଲ ମାମଲାର ଶୁଣାଣି କରି ଜିଲ୍ଲାପାଳଙ୍କ ସମେତ ତହସିଲଦାରଙ୍କୁ ଜବାବ୍ ତଲବ କରିଥିଲେ । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଆଦେଶ ପରେ ସାନଖେମୁଣ୍ଡି ତହସିଲଦାର ବାଧ୍ୟହୋଇ ଏ ସମ୍ପର୍କରେ ପାଟପୁର ଥାନାରେ ଏକ ଏଫ୍ ଆଇ ଆର୍ ରୁଜୁ କରିଛନ୍ତି । ତେବେ ସାନଖେମୁଣ୍ଡି ତହସିଲଦାର ବେଆଇନ ଭାବେ ପଥର ଖନନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ ନକରିବାରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ଟ୍ରିବ୍ୟୁନାଲ ଗଞ୍ଜାମ ଜିଲ୍ଲାପାଳଙ୍କୁ ଆଦେଶ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.