ସାନଖେମୁଣ୍ଡିରେ ମିଶନ ଶକ୍ତିର ମେଗା ସମନ୍ୱୟ ଋଣମେଳା; ୩୫୪ ମହିଳା ଗୋଷ୍ଠୀଙ୍କୁ ୭ କୋଟି ୮୦ ଲକ୍ଷ ୯୫ ହଜାର ଟଙ୍କାର ଆର୍ଥିକ ଋଣ ସହାୟତା ।

0 2,619

ସାନଖେମୁଣ୍ଡି,୧୭/୦୮(ପିପିଟି);ସମ୍ପ୍ରତି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ମହିଳା ସଶକ୍ତିକରଣ ପାଇଁ ଉଦାହରଣ ସୃଷ୍ଟି କରିଥିବା ବେଳେ ଆଜି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତରେ ଥିବା ୩୫୪ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ମିଶନ ଶକ୍ତି ବିଭାଗ ପକ୍ଷରୁ ୭ କୋଟି ୮୦ ଲକ୍ଷ ୯୫ ହଜାର ଟଙ୍କା ଋଣ ପ୍ରଦାନ କରାଯାଇ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଇବାକୁ ଉଦ୍ୟମ କରାଯାଇଛି । ଆଜି ଓଡିଶା ଜୀବିକା ମିଶନ ପକ୍ଷରୁ ଏକ ମେଗା ସମନ୍ୱୟ ଋଣ ମେଳା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ ଗୃହରେ ଆୟୋଜନ କରାଯାଇ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଋଣ ପ୍ରଦାନ କରାଯାଇଅଛି । ମୁଖ୍ୟ ଅତିଥି ଭାବରେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ଦ୍ଵାରା ଉଦଘାଟିତ ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଅର୍ଚ୍ଚନା କହଁର ଅଂଶଗ୍ରହଣ କରି ଉପସ୍ଥିତ ମହିଳା ଗୋଷ୍ଠୀଙ୍କୁ ସରକାର ଦେଉଥିବା ଋଣର ସୁବିନିଯୋଗ ସହିତ ପ୍ରତ୍ୟେକଙ୍କୁ ସ୍ୱାବଲମ୍ବୀ ହେବାନେଇ ପରାମର୍ଶ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅଞ୍ଚଳର ସମସ୍ତ ବ୍ୟାଙ୍କଶାଖା ପରିଚାଳକ ଉପସ୍ଥିତ ରହି ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଋଣ ବାବଦର ଚେକ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜକ ଦୁର୍ଯ୍ୟୋଧନ ମଲିକ , ଓଡ଼ିଶା ଜୀବିକା ମିଶନ ବ୍ଲକ ସଂଯୋଜକ ନରେନ୍ଦ୍ର ତ୍ରିପାଠୀ , ବ୍ଲକ ମିଶନ ଶକ୍ତି ସଂଯୋଜିକା ଅନିମା ପ୍ରଧାନ , ମିଶନ ଶକ୍ତିର ବ୍ଲକ ଆର୍ଥିକ ହିସାବ କର୍ତ୍ତା ପ୍ରମୋଦିନୀ ରାଉତ ପ୍ରମୁଖ ଅଂଶଗ୍ରହଣ କରି ମହିଳା ଗୋଷ୍ଠୀଙ୍କୁ ସେମାନଙ୍କ ଋଣ ପରିଚାଳନା ନେଇ ସଚେତନା କରିବା ସହିତ ନିୟମିତ ଋଣ ଓ ସୁଧ ପରିଶୋଧ କରି ସରକାରଙ୍କ ଏହି ମହିଳାଙ୍କ ବିକାଶ ପାଇଁ ପ୍ରଚଳିତ ସ୍ବାବଲମ୍ବୀ କାର୍ଯ୍ୟକ୍ରମର ଫାଇଦା ନେବାକୁ ଅନୁପ୍ରାଣିତ କରିଥିଲେ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.