ସାଇନାଥ ବସ୍ତି ଉଛେଦ ପୂର୍ବରୁ ଆଇନ ଅନୁଯାୟୀ ପ୍ରକ୍ରିୟା ପାଳନ କରି ଥଇଥାନ କରିବାକୁ ଓଡିଶା ହାଇକୋର୍ଟଙ୍କ ଆଦେଶ ।

0 426

ଭୁବନେଶ୍ୱର,୧୨/୦୩(ପିପିଟି); ଅମାନବୀୟ ସାଇନାଥ ବସ୍ତି ଉଚ୍ଛେଦର ପ୍ରତିବାଦ କରି ଏବଂ ଉଛେଦ ନକରିବାକୁ ଅବା ଉଛେଦ ପୂର୍ବରୁ ଆଇନ ଅନୁଯାୟୀ ପ୍ରକ୍ରିୟା ପାଳନ କରି ଥଇଥାନ କରିବାକୁ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ଆଦେଶ WPC No. 4753 of 2021 ତା ୦୮.୦୩.୨୦୨୧ କଡ଼ାକଡ଼ି କାର୍ଯ୍ୟକାରୀ ଦାବିରେ ୧୨ ମାର୍ଚ୍ଚ ଅପରାହ୍ନରେ ମାଷ୍ଟର କ୍ୟାଣ୍ଟିନ ଗୋଲେଇ ଠାରେ ବସ୍ତିବାସିନ୍ଦାଙ୍କ ଏକ ଘୋଷଣା ସଭା ଅନୁଷ୍ଠିତ ହୋଇଯାଇଛି। ଗତ ୩ ମାର୍ଚ୍ଚରେ ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନଂ-୯ ଅନ୍ତର୍ଗତ ସାଇନାଥ ବସ୍ତିର ୨୪ ଗୋଟି ଘରକୁ ବିଏମସି, ବିଡିଏ, ପୋଲିସ ଓ ଅସାମାଜିକ ଗୁଣ୍ଡାଙ୍କ ପକ୍ଷରୁ ବଳପୂର୍ବକ ଭାଙ୍ଗି ଦିଆଯାଇଥିଲା। ଦଳିତ ପରିବାର ସ୍ୱାଗତିକା ବେହେରା ତାଙ୍କ ପତିଙ୍କୁ ନେଇ ୧ ମାର୍ଚ୍ଚରୁ ଏମ୍ସ ହସ୍ପିଟାଲରେ ଆଇସିୟୁ ଭିତରେ ୭ ଦିନ ଧରି ଚିକିତ୍ସାଧୀନ ଥିଲେ। ଘରେ ମାତ୍ର ୩ ବର୍ଷର ଝିଅ ପଡ଼ୋଶୀଙ୍କ ସହାୟତାରେ ରହିଥିଲା। ଅଚାନକ ତାଙ୍କ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଗଲା। ଘରେ ପଶି ରହିଥିବା ଦୀପିକା ଭତ୍ରା ପରିବାରଙ୍କ ଘର ଜେସିବି ଜରିଆରେ ଭାଙ୍ଗି ଘରୁ ଘୋଷାରି ଆଣି ସ୍ୱାମୀ ସ୍ତ୍ରୀ ଓ ଛୁଆଙ୍କୁ ନିର୍ଦ୍ଧୁମ ମାଡ଼ ମାରି ଅସଦ ଆଚରଣ କରାଯାଇଥିଲା। ଏହା ସମ୍ପର୍କରେ ମଞ୍ଚେଶ୍ୱର ଥାନାରେ ଏଫ ଆଇ ଆର ଦିଆଯିବା ସହିତ ପୀଡିତା ପରିବାରଙ୍କ ପକ୍ଷରୁ ଡ଼ିସିପି, ଭୁବନେଶ୍ୱରଙ୍କୁ ସାକ୍ଷାତ କରି ଜଣାଇଛନ୍ତି। ଏହା ପୂର୍ବରୁ ସେମାନଙ୍କୁ କୌଣସି ନୋଟିସ ଦିଆଯାଇନାହିଁ। ଏହି ବସ୍ତିର ୧୫୭ ପରିବାରଙ୍କ ଘର ବଳପୂର୍ବକ ତଥା ଚକ୍ରାନ୍ତମୂଳକ ଉଛେଦ ଅଭିଯାନ ଚାଲିଥିଲା। କୌଣସି ଆଇନଗତ ପ୍ରକ୍ରିୟା ପାଳନ ନକରି, କୌଣସି ପ୍ରକାର ବିକଳ୍ପ ଥଇଥାନ ବ୍ୟବସ୍ଥା ଗ୍ରହଣ ନକରି, ଥଇଥାନ କରାଯାଇଛି ଓ ଟଙ୍କା ଦିଆଯାଇଛି ବୋଲି ମିଛ ପ୍ରଚାର କରି ଏହି ଉଛେଦ ଅଭିଯାନ ଚାଲିଥିଲା। ଘର ଭାଙ୍ଗିଯିବା ପରେ ମଧ୍ୟ ପରିବାର ଗୁଡିକ ପଲିଥିନ ଟାଙ୍ଗି ସେହି ଜମି ଉପରେ ରହିବାକୁ ବାଧ୍ୟ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବସ୍ତିବାସିନ୍ଦାଙ୍କ ପକ୍ଷରୁ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ନିକଟରେ ଆବେଦନ କରାଯାଇଥିଲା। ମାନ୍ୟବର ଓଡିଶା ହାଇକୋର୍ଟ ସାଇନାଥ ବସ୍ତିର ଆବେଦନକାରୀଙ୍କୁ ଶୁଣାଣି କରି ଗତ ତା ୦୮.୦୩.୨୦୨୧ ରିଖରେ ଏହି ଆଦେଶ ଦେଇଛନ୍ତି। ମାନ୍ୟବର ଉଚ୍ଚ ଅଦାଲତ ତାଙ୍କ ଆଦେଶରେ ସାଇନାଥ ବସ୍ତି ଉଛେଦ ନକରିବାକୁ ଅବା ଉଛେଦ ପୂର୍ବରୁ ଆଇନ ଅନୁଯାୟୀ ପ୍ରକ୍ରିୟା ପାଳନ କରି ଥଇଥାନ କରିବାକୁ କହିଛନ୍ତି। ଏହି ବସ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେ ଅନ୍ତର୍ଭୁକ୍ତ ଅଟେ। ପରିବାର ଗୁଡିକର ତାଲିକା ବିଏମସି ୱେବ ସାଇଟରେ ପ୍ରକାଶ ପାଇଛି। ଓଡିଶା ମହାନଗର ନିଗମ ଆଇନ ପରିଚ୍ଛଦ ୨୧ ବସ୍ତିବାସିନ୍ଦାଙ୍କୁ ସମ୍ପତ୍ତି ଅଧିକାର (ବସ୍ତି ଆଇନ ୨୦୦୩ ଓ ସଂଶୋଧିତ ଆଇନ ୨୦୧୭) ଅନୁସାରେ ତଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗାଇଡ଼ଲାଇନ ଓ ସମସ୍ତଙ୍କୁ ବାସଗୃହ ନୀତି ଅନୁସାରେ ଏହି ବସ୍ତିରେ ରହୁଥିବା ସବୁ ପରିବାରଙ୍କୁ ଉଛେଦ ପୂର୍ବରୁ ଉପଯୁକ୍ତ ଥଇଥାନ ଯୋଗେଇ ଦିଆଯିବାକୁ ବ୍ୟବସ୍ଥା ଗ୍ରହଣ କରିବା। ସେ ପର୍ଯ୍ୟନ୍ତ ମାନ୍ୟବର ହାଇକୋର୍ଟଙ୍କ ଆଦେଶକୁ ସମ୍ମାନ ଜଣାଇ ଉଛେଦ ସମ୍ପୂର୍ଣ୍ଣ ବନ୍ଦ ରଖିବା। ବଳପୂର୍ବକ ଉଛେଦର ଶିକାର ହୋଇଥିବା ପରିବାର ଗୁଡିକୁ କ୍ଷତିପୂରଣ ପ୍ରଦାନ ସହିତ ସେମାନଙ୍କ କାଟି ଦିଆଯାଇଥିବା ବିଦ୍ୟୁତ ସଂଯୋଗ, ପାଣି ସଂଯୋଗ ଆଦି ତୁରନ୍ତ ଯୋଡି ସମସ୍ତ ମୌଳିକ ସୁବିଧା ପ୍ରଦାନ କରିବାକୁ ଦାବି କରି ହାଇକୋର୍ଟ ଅର୍ଡ଼ର କପି ସହିତ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ, ନଗର ଉନ୍ନୟନ ସଚିବ, ଉପାଧ୍ୟକ୍ଷ ବିଡ଼ିଏ, କମିଶନର ବିଏମସି, ଜିଲ୍ଲାପାଳ ଖୋର୍ଦ୍ଧା, ଡ଼ିସିପି ଭୁବନେଶ୍ୱର, ପୋଲିସ କମିଶନର ଆଦିଙ୍କୁ ବସ୍ତି କମିଟି ପକ୍ଷରୁ ଚିଠି ପ୍ରଦାନ କରାଯାଇଛି। ସାଇନାଥ ବସ୍ତିର ସଭାପତି ଦିଲ୍ଲୀପ କୁମାର ସିଂ, ସଂପାଦକ ସଚ୍ଛବକାନ୍ତ ଭତ୍ରା, ବସ୍ତି କମିଟି ନେତା ପ୍ରକାଶ ମହାପାତ୍ର, ପ୍ରଭାତ ମହାରଣା, ମାନସୀ ଓଝା, ଶାରଳା ବିଶ୍ୱାଳ, ସ୍ୱାଗତିକା ବେହେରା, ଦିପିକା ଭତ୍ରା, ସବିତା ସିଂ, ଯଶୋବନ୍ତି ଜେନା, କଳାକାର ନାଥ, ଅଞ୍ଜନା ରାଉତରାୟ ଆଦି ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏହି ପ୍ରତିବାଦ ସଭାରେ ବସ୍ତି ସୁରକ୍ଷା ମଞ୍ଚର ସାଧାରଣ ସମ୍ପାଦିକା ପ୍ରମିଳା, ସଭାନେତ୍ରୀ ହେନା ବାରିକ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.