ରାୟଗଡା,୧୯/୧୧(ପିପିଟି); କରଲାଘାଟି ସରପଞ୍ଚଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥାକୁ ବିରୋଧ କରି, ସରପଞ୍ଚଙ୍କୁ ସମର୍ଥନ କରିଛନ୍ତି ୱାର୍ଡ ସଭ୍ୟ,ସଭ୍ୟା ଏବଂ ଗ୍ରାମବାସୀ। ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ କରଲାଘାଟି ସରପଞ୍ଚ ଅଲେଖ ହିକାବାଡିଙ୍କ ବିରୁଦ୍ଧରେ କିଛିଦିନତଳେ ୱାର୍ଡ ସଭ୍ୟ/ସଭ୍ୟା ଓ ଗ୍ରାମବାସୀ ମିଶି ଅନାସ୍ଥାପ୍ରସ୍ତାବ ଆଗତ କରିଥିଲେ। ସବୁ ୱାର୍ଡ ସଭ୍ୟ/ସଭ୍ୟାଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମଧ୍ୟ ଗୁଣୁପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ଏବେ ଏହା ଏକ ରୋଚକ ସ୍ଥିତିରେ ପହଞ୍ଚିଛି, ଗତକାଲି ବୁଧବାର ୧୮.୧୧.୨୦ରେ ୱାର୍ଡ ସଭ୍ୟ/ସଭ୍ୟା ଏକତ୍ରିତ ହୋଇ ମତବଦଳାଇ ଅନାସ୍ଥାକୁ ପ୍ରତ୍ୟାହାର କରିବାକୁ ପୁଣି ଏକପତ୍ର ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ସହକାରୀ ଜିଲ୍ଲାପାଳ ରୀନା ପ୍ରଧାନଙ୍କୁ ଏହି ଦାବୀପତ୍ର ପ୍ରଦାନ କରିଛନ୍ତି। ଏଭଳି ପରିବର୍ତ୍ତନରେ ସେମାନେ ପ୍ରକାଶ କରିଛନ୍ତି ଯେ କିଛିଲୋକ ସେମାନଙ୍କୁ ଧମକଚମକ ଦେଇ ବିଭ୍ରାନ୍ତି କରିଥିଲେ। ବର୍ତ୍ତମାନ ସେମାନେ ସରପଞ୍ଚ ଅଲେଖ ହିକାବାଡି ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି ଏବଂ ଭବିଷ୍ୟତରେ ଏଭଳି କୌଣସି ଅଭାବନୀୟ କାମ ହେବନାହିଁ ବୋଲି ପ୍ରକାଶ କରିଛନ୍ତି।
(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )