ସାନଖେମୁଣ୍ଡି,୦୩/୦୯(ପିପିଟି); ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ଓ କଂସାମାରୀ ପଞ୍ଚାୟତର ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଇସାକ ପ୍ରଧାନଙ୍କୁ ଅର୍ଥ ଆତ୍ମସାତ ମାମଲା ରେ ପୋଲିସ ଗିରଫ କରି ମଙ୍ଗଳବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି । ଏନେଇ ପାଟପୁର ଥାନା କେଶ ନଂ.୨୩୪/୧୯ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦିଗପହଣ୍ଡି ସବ ଜେଲକୁ ପଠାଇ ଦିଆଯାଇଛି । ସୂଚନାନୁସାରେ ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ଓ କଂସାମାରୀ ପଞ୍ଚାୟତର ତତ୍କାଳୀନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜଣକ ୧୦ ଲକ୍ଷ ରୁ ଉର୍ଦ୍ଧ୍ବ ସରକାରୀ ଅନୁଦାନ ଅର୍ଥରାଶି ଆତ୍ମସାତ କରିଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲାପାଳ ଚିଠି ନଂ ୧୨୭୨/ ତା. ୨/୧୧/୨୦୧୯ ରେ ନିର୍ବାହୀ ଅଧିକାରୀ ଇସାକ ପ୍ରଧାନଙ୍କୁ ନିଲମ୍ବିତ କରିଥିଲେ । ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀଦତ୍ତ ନାୟକ ଗତ ୪/୧୧/୧୯ ରେ ପାଟପୁର ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ କରି ପୋଲିସ ତାଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ । ତଦନ୍ତ ଚାଲିଥିବା ବେଳେ ନିର୍ବାହୀ ଅଧିକାରୀ ଇସାକ ପ୍ରଧାନ ଗିରଫ ଭୟରେ ଫେରାର ହୋଇଯାଇଥିଲେ । ସୋମବାର ଇସାକ ପ୍ରଧାନ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ପାଟପୁର ପୁଲିସ ଏସଆଇ ଶୁଭ୍ରଜିତ ସାମନ୍ତରାୟଙ୍କ ତତ୍ୱାବଧାନରେ ଏକ ପୋଲିସ ଟିମ ଇସାକ ପ୍ରଧାନଙ୍କୁ ଗିରଫ କରି ଥାନାକୁ ଆଣି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିଥିଲେ । ଇସାକ ପ୍ରଧାନ ସରକାରୀ ଅନୁଦାନ ଅର୍ଥରାଶି ହଡ଼ପ କରିଥିବା ସ୍ୱୀକାର କରିବା ପରେ ପୋଲିସ ତାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ରିପୋର୍ଟ – ଆରତ କୁମାର ହୋତା ।