ସମସ୍ୟା ରେ ଜର୍ଜରିତ କରଡ଼ା ପଞ୍ଚାୟତ : ଗ୍ରାମବାସୀଙ୍କ ସମସ୍ୟା ନ ସୁଧୁରିଲେ ଭୋଟ ବର୍ଜନ ନିଷ୍ପତ୍ତି ।

0 223

ବାଲିଗୁଡା,୨୦/୧୦(ପିପିଟି): ମୋବାଇଲ ଟାୱାର ନାହିଁ ତ ଭୋଟ ନାହିଁ, ଭୋଟ କଥା ପୁରାପୁରି ଭୁଲିଯାଅ ବୋଲି ଏବେଠାରୁ ଧମକ ଦେଲେଣି କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ କରଡ଼ା ପଞ୍ଚାୟତ ବାସି । ଆଗାମୀ ତ୍ରି ସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଏହି ପଞ୍ଚାୟତ ବାସି ଏବେଠାରୁ ନିଷ୍ପତ୍ତି ନେଲେଣି । ଗ୍ରାମବାସୀ କୁଆଡେ ହାତରେ ପ୍ଲାକାର୍ଡ଼ ଧରି ନାରା ଦେଇ ଗ୍ରାମପରିକ୍ରମା ମଧ୍ୟ କରିଥିଲେ । ରାଇକିଆ ବ୍ଲକ ସଦର ମହକୁମା ଠାରୁ ସତର କିଲୋମିଟର ଦୂରରେ ରହିଛି କରଡ଼ା ପଞ୍ଚାୟତ । ଉକ୍ତ ପଞ୍ଚାୟତରେ ୩ ହଜ଼ାର ୫ ଶହ ଲୋକ ବସ ବାସ କରୁଛନ୍ତି । ତେବେ ଏହି ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କରଡ଼ା ପଞ୍ଚାୟତ ରେ ମୋବାଇଲ ଟାୱାର ନାହିଁ । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏବେ ସରକାର ଦୁଇ ବର୍ଷ ହେଲାଣି ଅନଲାଇନ କ୍ଲାସ କରୁଥିବା ବେଳେ ମୋବାଇଲ ଟାୱାର ନଥିବା ରୁ ପିଲାମାନେ ପାଠ ପଢିବା ରୁ ବଞ୍ଚିତ ହେଉଛନ୍ତି । ଟାୱାର ଗୋଟିଏ ପ୍ରତିଷ୍ଠା କରିବା ପାଇଁ ଗ୍ରାମବାସୀ ଦୀର୍ଘ ଦିନ ହେଲା ଦାବୀ କରି ଆସୁଥିଲେ ମଧ୍ୟ ଫଳ ଶୂନ । କେବଳ ଏହି ଗୋଟିଏ ସମସ୍ୟା ନୁହେଁ ପଞ୍ଚାୟତରେ ରାସ୍ତା ଘାଟ ଠୁ ଆରମ୍ଭ କରି ପାନୀୟ ଜଳ ଆଦି ଅନେକ ସମସ୍ୟା ରହିଛି । ସମସ୍ୟା ସମାଧାନ ପାଇଁ ନେତା ଓ ପ୍ରଶାସନିକ ଅଧିକାରୀ ଜଣାଇଲେ ବି ଶୁଣୁନଥିବା ଅଭିଯୋଗ କରିଛନ୍ତି ଲୋକେ । ଭୋଟ ଆସିଲେ ଧୋବଧାଉଳିଆ ଖୋଳ ପକାଇ ନେତା ମାନେ ଭୋଟ ପ୍ରଚାରରେ ଆସି ମିଥ୍ୟା ପ୍ରତିଶୃତି ଦେଇଥାନ୍ତି । ଆଉ ଭୋଟ ସରିଲେ ସବୁ କିଛି ଭୁଲି ଯାଉଛନ୍ତି । ହେଲେ ଏଣିକି ଆଉ ନାହିଁ ଭୋଟ ବର୍ଜନ ପାଇଁ ଏବେଠାରୁ ନିଷ୍ପତ୍ତି ନେଲେଣି ଗ୍ରାମବାସୀ ଯାହାକି ପ୍ରଶାସନକୁ ଅଡୁଆରେ ପକାଇବ । ଏଣୁ ବେଳ ଥାଉ ଥାଉ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ ବୋଲି ମତ ପ୍ରକାଶ ପାଉଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.