ସମସ୍ତ ଲାଇନ୍ ବିଭାଗ ତତ୍ପରତାର ସହ କାର୍ଯ୍ୟ କଲେ ଚାଷୀ ଉପକୃତ ହୋଇପାରିବେ-ଜିଲ୍ଲାପାଳ ।

0 551

ଛତ୍ରପୁର,ତା.୦୭/୧୧(ପିପିଟି); ଗଞ୍ଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା କାର୍ଯ୍ୟକାରୀତା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଛତ୍ରପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ୨୦୧୦-୧୧ ଆର୍ଥିକ ବର୍ଷରେ କାର୍ଯ୍ୟ ଆରମ୍ଭ ହୋଇ ୨୦୧୯-୨୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ୧୫,୫୦୦ ଆଡିବନ୍ଧ ନିର୍ମାଣ କରାଯାଇଛି । ଜଳଧାରଣ କ୍ଷମତା ସୃଷ୍ଟି ସହ ଭୂମିର ଜଳ ସ୍ତର ବଜାୟ ରଖାଯାଇ ପାରିଛି, ଯାହାକି ସ୍ଥାନୀୟ ଗୋଷ୍ଠୀଗତ ଲୋକଙ୍କ ବ୍ୟବହାର ଯୋଗ୍ୟ ହୋଇ ସେମାନେ ଯେପରି ଲାଭବାନ୍ ହେବେ ସେ ଲକ୍ଷ୍ୟ ନେଇ କାର୍ଯ୍ୟପନ୍ଥା ସ୍ଥିର କରିବାପାଇଁ କୁହାଯାଇଛି । ଖରିଫ୍ ଚାଷର ସୁରକ୍ଷା ଦିଗରେ ଚଳିତ ବର୍ଷ ଆବଶ୍ୟକ ସ୍ଥଳେ ଜଳସେଚନ କରାଯାଇଛି ଏବଂ ରବିଚାଷ ସକାଶେ ମଧ୍ୟ ସୁ ବିନିଯୋଗ ହୋଇପାରିବ । ସଂପ୍ରତି ଜଳ ସମ୍ପଦ, କୃଷି ବିଭାଗ ଓ କୃଷକ ସଶକ୍ତି କରଣ ବିଭାଗ ମିଳିତ ଭାବେ ଏହି ଆଡିବନ୍ଧର କ୍ଷମତାରୁ ଲାଭ ଉଠାଇନେବା ସକାଶେ ସ୍ବତନ୍ତ୍ର ଅଭିଯାନ କରିବା ନେଇ ଯୋଜନା ପ୍ରସ୍ତୁତି କରି କୃଷି ଓ ଉଦ୍ୟାନ କୃଷିର ଉନ୍ନତି ନିମନ୍ତେ କୃଷି, ମତ୍ସ୍ୟ ସମ୍ପ୍ରସାରଣ ଓ ଜଳ ସମ୍ପଦ ବିଭାଗ ଦ୍ବାରା ନିର୍ଦ୍ଦେଶ ଜାରି କରିଛନ୍ତି । କୃଷି, ଜଳସେଚନ, ଉଦ୍ୟାନ, ମତ୍ସ୍ୟ ବିଭାଗଙ୍କ ଦ୍ବାରା ମିଳିତଭାବେ ଅନୁସନ୍ଧାନ କରି କୃଷକ ମାନଙ୍କ ସହ ବିଚାର ବିମର୍ଷ କରି ଜିଲ୍ଲାରେ କେଉଁ କାର୍ଯ୍ୟ କରାଯାଇ ପାରିବ ସେହି ଅନୁସାରେ କାର୍ଯ୍ୟପନ୍ଥା ସ୍ଥିର କରିବାପାଇଁ ଜିଲ୍ଲାପାଲ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ସହଭାଗିତାରେ ହିତାଧିକାରୀମାନେ କିଭଳି ଅଧିକରୁ ଅଧିକ ଲାଭ ପାଇବେ ସେ ଦିଗରେ ଦୃଷ୍ଟି ଦେବାପାଇଁ କୁହାଯାଇଛି । ଜିଲ୍ଲାର ଚାଷୀ ଯେପରି ଅନେକାଂଶରେ ଉପକୃତ ହୋଇପାରିବ ସେହିଲକ୍ଷ୍ୟ ନେଇ ସମସ୍ତ ଲାଇନ୍ ବିଭାଗ ମାନଙ୍କର ସହଯୋଗ ଓ ତତ୍ପରତା ର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ବୈଠକରେ ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଶରତ ଚନ୍ଦ୍ର ବେହେରା, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା, ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରଶାନ୍ତ କୁମାର ହଜାରୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, କ୍ଷୁଦ୍ର ଜଳ ସେଚନ ବିଭାଗ ଡିଭିଜନ୍-୧ ଗୋପାଳ କୃଷ୍ଣ ଦାଶ, କ୍ଷୁଦ୍ର ଜଳ ସେଚନ ବିଭାଗ ଡିଭିଜନ୍-୨ ଅରୁଣ କୁମାର ପଣ୍ଡା, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରମୋଦ ରାଉତ, କ୍ଷୁଦ୍ର ଜଳ ସେଚନ ବିଭାଗ, ଭଞ୍ଜନଗର କିଶୋର ଚନ୍ଦ୍ର ପାଳ, ସହକାରୀ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ, ଭଞ୍ଜନଗର ଏସ୍. ରାମା ରାଓ, ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ ଡଃ ଦେବରାଜ ବେହେରା, ଉଦ୍ୟାନ ବିଭାଗ ଏ.ଡି.ଏଚ୍. ଛତ୍ରପୁର ସୌମ୍ୟା ପ୍ରିୟ ଦର୍ଶନୀ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାସ୍କର ପାଢୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.