ବୋଲଗଡ଼,୦୯/୦୮(ପିପିଟି): ଗ୍ରୀଷ୍ମ ଜଳବାୟୁରେ ବି ସମ୍ଭବ ଥଣ୍ଡା ଅଞ୍ଚଳରେ ଉତ୍ପାଦିତ ଚାଷ। ଆର୍ଦ୍ର ଭୂମିରେ ଫଳିଛି ସେଓ। ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି। ଗ୍ରୀଷ୍ମ ଜଳବାୟୁରେ ସେଓ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଭବାନୀପୁର ଗ୍ରାମର ଅରୁଣ ନାୟକ ବିଦେଶରେ କାମ ଛାଡ଼ି ସେଓ ଚାଷକୁ ଆପଣେଇଛନ୍ତି ଅରୁଣ। ଏହି ସଫଳତା ପାଇଁ ତାଙ୍କୁ ଗ୍ରାମବାସୀ ପ୍ରଶଂସାକରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଆରିକମା ପଞ୍ଚାୟତର ଭବାନୀପୁର ଗ୍ରାମରେ ସେଓ ଚାଷ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଅରୁଣ। ଏଥିପାଇଁ ୟୁଟ୍ୟୁବ ସହାୟତାରେ ଚାଷର ପ୍ରଣାଳୀକୁ ଦେଖିବା ପରେ ଅନଲାଇନରେ ୩୦ ଗୋଟି ଚାରା ହିମାଚଳ ପ୍ରଦେଶରୁ ମଗାଇଥିଲେ ଅରୁଣ। ଘରେ ସେଓ ଚାରା ପହଞ୍ଚିବା ପରେ ଅରୁଣ ନିଜ ବଗିଚାରେ ରୋପଣ କରିଥିଲେ।ଏହାପରେ ଚାରା ମଗାଇବା ଠାରୁ ଆରମ୍ଭ କରି ଗଛର ଯତ୍ନ ନେବା ଯାଏ ସବୁ ୟୁଟ୍ୟୁବ ସହାୟତାରେ ହିଁ କରିଛନ୍ତି। ଏବଂ ୧୭ ମାସ ପରେ ଗଛରେ ଫଳିଥିଲା ସେଓ। ତେବେ ବୋଲଗଡ଼ ଭଳି ଏକ ଅଞ୍ଚଳରେ ସଫଳତାର ସହ ସେଓ ଚାଷ ହୋଇଥିବାରୁ ପ୍ରତିଦିନ ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ଭିଡ଼ ଜମୁଛି। କେବଳ ଜନସାଧାରଣ କି ଚାଷୀ ନୁହେଁ, ଏହି ସଫଳ ଚାଷର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟ ଗହଳି ଲାଗୁଛି। ସେ ଚାଷ କାର୍ଯ୍ୟରେ ମାତିବା ସହ ସେଓ ଚାଷ କରିବାକୁ ମନ ବଲାଇଥିଲେ। ୟୁଟ୍ୟୁବରେ ସେଓ ଚାଷ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଅନଲାଇନରେ ଚାରା ମଗାଇଥିଲେ। ହିମାଚଳ ପ୍ରଦେଶର ଏକ କୃଷିଭିତ୍ତିକ ସଂସ୍ଥାରୁ ଚାରା ପିଛା ୧୬୦ ଦରରେ ପ୍ରଥମେ ୩୦ଟି ଚାରା ମାଗାଇଥିଲେ ଅରୁଣ। ଚାରା ଘରେ ପହଁଚିବା ପରେ ତାଙ୍କ ପୈତୃକ ସାତଗୁଣ୍ଠୁ ଜମିରେ ରୋପଣ କରିଥିଲେ। ୫ ଫୁଟ ଦୂରତାରେ ମୋଟ ୩୦ଟି ଚାରା ରୋପଣ କରିଥିଲେ। ତେବେ ଚାରା ଯୋଗାଣ ସଂସ୍ଥା ୩ ବର୍ଷ ମଧ୍ୟରେ ଫଳ ହେବ ବୋଲି କୁହାଯାଇ ଥିଲେ ମଧ୍ୟ ମାତ୍ର ୧୭ ମାସ ମଧ୍ୟରେ ଗଛରେ ଫଳ ଧରି ସାରିଛି।ଫଳରେ ବେଶ୍ ଖୁସି ଅଛନ୍ତି। ଏନେଇ ସଫଳ ଚାଷୀ ଅରୁଣ କହିଛନ୍ତି ଯେ, ଆସନ୍ତା ୩ ବର୍ଷ ମଧ୍ୟରେ ବ୍ୟବସାୟିକ ଦୃଷ୍ଟି କୋଣରୁ କ୍ଵିଣ୍ଟାଲ ହିସାବରେ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏଥର ୮ ଟି ଗଛରେ ଫଳ ଆସିଥିଲା। ଗଛରେ ସେଓ ଫଳିବା ଦେଖି ଅରୁଣଙ୍କର ଉତ୍ସାହ ଆହୁରି ବୃଦ୍ଧି ପାଇଛି। ଆଗାମୀ ଦିନରେ ଅଧିକରୁ ଅଧିକ ଗଛ ଲଗାଇବା ସହ ଥାଇଲାଣ୍ଡ ପିଜୁଳି ଲିଚୁ ଭଳି ଫଳଚାଷ ସହ ପୋଖରୀ ମାଛଚାଷ କରି ସମ୍ପୂର୍ଣ୍ଣ ବ୍ୟବସାୟକୁ ଓହ୍ଲାଇବାକୁ କହିଛନ୍ତି ଅରୁଣ। ତେବେ ପ୍ରୋତ୍ସାହନ ମିଳିଲେ ଅରୁଣ ଆହୁରି ଆଗକୁ ଯାଇ ପାରିବେ ଏଥିରେ କୌଣସି ସନ୍ଦେହ ନାହିଁ। ଅରୁଣଙ୍କ ଏଭଳି ପ୍ରୟାସ ସଫଳ ହେବାପରେ ଅନେକଚାଷୀ ସେଉଚାଷ କରିବା ପାଇଁ ଆଗ୍ରହ ଦେଖିବାକୁ ମିଳିଛି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)