ସାନଖେମୁଣ୍ଡି,୦୯/୦୭(ପିପିଟି); ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିିବ ହିତାଧିକାରୀଙ୍କୁ ବାସଗୃହ ଆବଣ୍ଟନରେ ରାଜ୍ୟରେ ଅନିୟମିତତାକୁ ନେଇ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ସାନଖେମୁଣ୍ଡି ୬୦ ନମ୍ବର ଯୋନର ଜିଲ୍ଲା ପରିଷଦ ଗଦାଧର ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଶତାଧିକ ବିଜେପି କର୍ମୀ ପାଟପୁର ଗାନ୍ଧୀ ଛକଠାରେ ଏକତ୍ରିତ ହୋଇ ଏଭଳି ମହାଦୁର୍ନୀତିର ଦୃଢ଼ ପ୍ରତିବାଦ କରିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି ପ୍ରତିବାଦ ସ୍ବରୂପ କର୍ମୀମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକଙ୍କୁ ପ୍ରଦାନ କରିଥିଲେ । ସୂଚନାନୁସାରେ କେନ୍ଦ୍ର ସରକାର ଗରିବ ହିତାଧିକାରୀ ତଥା ବାସହୀନ ଲୋକଙ୍କ ପାଇଁ ଆବାସ ଯୋଜନା ପ୍ରଣୟନ କରିଥିବା ବେଳେ ଏହାକୁ ପାତରଅନ୍ତର କରାଯାଇଛି । ଏପରିକି ଗରିବ ତଥା ପ୍ରକୃତ ହିତାଧିକାରୀଙ୍କୁ ଏହି ଯୋଜନାରୁ ବଞ୍ଚିତ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ସାନଖେମୁଣ୍ଡି ବିଜେପି କର୍ମୀମାନେ । ଏଥିସହ ସେମାନଙ୍କ ଟଙ୍କାକୁ ହେରଫେର କରାଯାଇଥିବା ବିଜେପି କର୍ମୀ ମାନେ ଅଭିଯୋଗରେ ଦର୍ଶାଇଛନ୍ତି । ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଚେତାବନୀ ଦେଇଛନ୍ତି । ଏହି ଘେରାଉ ବେଳେ ଯୁବ ନେତା ଇଂ. ପ୍ରଦୀପ କୁମାର ପାତ୍ର , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର ଲେଙ୍କା , ପାଟପୁର ମଣ୍ଡଳ ସଭାପତି ଗୌତମ ରଣା , ପୋଡାମାରି ମଣ୍ଡଳ ସଭାପତି ଲିଟୁ ପ୍ରଧାନ,ବିଜୟ କୁମାର ପଣ୍ଡା ,ପବିତ୍ର ତ୍ରିପାଠୀ,ମନୋରଞ୍ଜନ ସାହୁ , ରାଜେନ୍ଦ୍ର କୁମାର ସାହୁ , ପ୍ରକାଶ ସାହୁ,ସମୀର ଭୂୟାଁ , ଟି.ମୁନେସ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )