ମାଲକାନଗିରି , ୦୨/୦୬ (ପିପିଟି): ଗତ କାଲି ସତୀଗୁଡା ଜଳଭଣ୍ଡାରକୁ ମାଛ ଧରିବା ପାଇଁ ଯାଇଥିବା ଦୁଇ ଜଣ ବ୍ଯକ୍ତି ଝଡ ତୋଫାନ ଯୋଗୁଁ ଡଙ୍ଗା ବୁଡି ପ୍ରାଣ ହରାଇଥିବା ବେଳେ ଜଣେ ମହିଳାଙ୍କ ଶବ ଉଦ୍ଧାର କରା ଯାଇଛି,ତେବେ ଅନ୍ଯ ଜଣଙ୍କ ଶବ ସଂଧ୍ଯା ସୁଧା ଠାବ କରାଯାଇ ପାରି ନଥିବା ଜଣା ପଡିଛି । ଗତ କାଲି ଅପରାହ୍ନ ୪ ଘଟିକା ସମୟରେ ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ ରଚିଥିଲା ବେଳେ ସତୀଗୁଡା ଜଳଭଣ୍ଡାରରେ ୨ ଟି ଛୋଟ ଡଙ୍ଗାରେ ମାଛ ଧରୁଥିବା ବେଳେ ପ୍ରବଳ ଝଡ଼ ତୋଫାନରେ ଡଙ୍ଗା ବୁଡି ଯାଇଥିଲା । ଫଳରେ ଭିମାରାଙ୍ଗିନୀ ଗ୍ରାମର ତୁଳସା ମାଡ଼ି (୩୫ ) ଓ ଏମଭି -୧୧୧ ଗ୍ରାମର ଗୋବିନ୍ଦ ସର୍ଦ୍ଦାର ଦୁଇଜଣ ମତ୍ସ୍ଯଜୀବୀ ନିଖୋଜ ହୋଇଯାଇଥିଲେ ।
ଦୁଇ ନିଖୋଜ ମତ୍ସ୍ଯଜୀବୀଙ୍କୁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ କର୍ମଚାରୀମାନେ ସତୀଗୁଡା ଜଳଭଣ୍ଡାରରେ ଆଜି ସକାଳୁ ଖୋଜା ପରେ ଭମାରାଙ୍ଗିନୀ ଗ୍ରାମର ନିଖୋଜ ମହିଳା ମତ୍ସ୍ଯଜୀବୀ ତୁଳସା ମାଡ଼ିଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ଏମଭି -୧୧୧ ଗ୍ରାମର ନିଖୋଜ ମତ୍ସ୍ଯଜୀବୀ ଗୋବିନ୍ଦ ସର୍ଦ୍ଦାରଙ୍କ ଶବ ବର୍ତ୍ତମାନ ସୁଧା ମିଳୁନାହିଁ। ଓଡ୍ରାଫ ଟିମ୍ର ଡାନିଏଲ ବିଡିକା ଓ ଅଗ୍ନିଶମ ବାହିନୀର କମଳ କୁମାର ଗୌଡ଼ଙ୍କ ନେତୃତ୍ୱରେ ଆଜି ସକାଳ ୬ଟାରୁ ଓଡ୍ରାଫର ୨୫ ଜଣିଆ ଟିମ୍ ଓ ଅଗ୍ନିଶମ ବିଭାଗର ୨୫ଜଣିଆ ଟିମ୍ ପୁଣି ଥରେ ଜଳଭଣ୍ଡାରର ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚଳାଇଛନ୍ତି । ଘଟଣା ସ୍ଥଳରେ ଉପଜିଲ୍ଲାପାଳ ଅକ୍ଷୟକୁମାର ଖେମୁଣ୍ଡୁ, ଅତିରିକ୍ତ ତହସିଲଦାର ଜଗଦୀଶ କାର୍ତ୍ତାମି ଓ ଅଶୋକ ପାଲ, ସିନ୍ଦ୍ରିମାଳ ରାଜସ୍ୱ ନିରୀକ୍ଷକ ସୀମାଞ୍ଚଳ ପତ୍ର, ସିନ୍ଦ୍ରିମାଳ ପଞ୍ଚାୟତ ସରପଞ୍ଚ ଘାଷି ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଉଦ୍ଧାର ମହିଳାଙ୍କ ଶବ ବ୍ୟବଚ୍ଛେଦକୁ ପୋଲିସ ଜବତ କରି ଶବ ବ୍ଯବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତ କରାଯାଇଛି । ତେବେ ଡାଙ୍ଗାବୁଡି ପ୍ରାଣ ହରାଇଥିବା ପରିବାର ପିଛା ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଯୋଗାଇ ଦେବା ପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)