ବ୍ରହ୍ମପୁର,(ପିପିଟି)ତା ୧୪/୦୬, ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ରୋକିବା ନାମରେ ପୁଣିଥରେ ସଟଡାଉନ ଆସନ୍ତା ତା ୩୦ ଜୁନ ୨୦୨୦ରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜରୁରୀ ସାମଗ୍ରୀ ବ୍ୟତୀତ ସବୁକିଛି ବନ୍ଦ ରହିବ । ଶ୍ରମଜୀବି, କ୍ଷୁଦ୍ର ବ୍ୟବସାୟୀ ,ଉଠାଦୋକାନୀ, ବାବୁଭାୟାଙ୍କ ଘରେ କାମ କରୁଥିବା ଘରୋଇ ମହିଳା ଶ୍ରମିକ, ବସ୍ତିବାସିନ୍ଦା ଜୀବିକା ବିନା ଜୀବନ କିପରି ନିର୍ବାହ କରିବେ । ଦୋକାନ, ବଜାର, ପ୍ରେସ ରେ କାମ କରୁଥିବା ଶ୍ରମିକ, ଅଟୋ ଡ୍ରାଇଭର, ବସ,ଟ୍ରକ ଡ୍ରାଇଭର ଓ କର୍ମଚାରୀ, ଦର୍ଜୀ, ଜୋତା କାରିଗର, ଚିତ୍ରକଳା ଶିଳ୍ପୀ, ଗ୍ୟାରେଜ ମେକାନିକ, କୁମ୍ଭାର ଆଦି ଅଣସଂଗଠିତ ଶ୍ରମିକ କିପରି ବଞ୍ଚିବେ । ସେମାନଙ୍କ ଖାଦ୍ୟ କିପରି ଯୋଗଡ କରିବେ ଏ ଦିଗରେ ଜିଲ୍ଲାପାଳ ଚିନ୍ତା କରିବା ଉଚିତ ହେବ । ୨୧ ଦିନ ଯୁଦ୍ଧରେ କରୋନା ପରାଜୟ ହେବ ବୋଲି ଆମକୁ ମୋଦିଜୀ ଓ ରାଜ୍ୟ ସରକାର କହିଥିଲେ । ସେ କଥାକୁ ଆମେ ମାନିଲୁ ତଥାପି ଆମକୁ ରାସ୍ତାରେ କେତେ ମାଡ ମାରିଛନ୍ତି । ତଥାପି ସହ୍ୟ କରିଛୁ ଆମ ଜୀବନର ସୁରକ୍ଷା ପାଇଁ କିନ୍ତୁ କରୋନା ଯୋଦ୍ଧା କହି ଯାହା ଉପରେ ପୁଷ୍ପ ବୃଷ୍ଟି କରିଥିଲେ ସେମାନେ ସଂକ୍ରମିତ ହେଲେ । ଡାକ୍ତର, ନର୍ସ, ସାମ୍ବାଦିକ, ପୋଲିସ, ପରିମଳ କର୍ମଚାରୀ ସମସ୍ତେ କରୋନା ସଂକମଣର ଶିକାର ହୋଇଛନ୍ତି । କେବଳ ସଟଡାଉନ ସମସ୍ୟା ର ନିରାକରଣ ନୁହେଁ । ଆପଣ ପ୍ରତିଶ୍ରୁତି ଦିଅନ୍ତୁ ସମସ୍ତ କରୋନା ଯୋଦ୍ଧା କୁ ସୁରକ୍ଷା ପ୍ରଦାନ କରିବେ ଏବଂ ଶ୍ରମିକ, ପ୍ରବାସୀ, କୃଷକ, ବେପାରୀ, ନିର୍ମାଣ ଓ ସମସ୍ତ ଅଣସଂଗଠିତ ଶ୍ରମିକ ଙ୍କ ଖାଦ୍ୟ, ରୋଜଗାର ସହାୟତା ପହଞ୍ଚାଇବାରେ ସୁବ୍ୟବସ୍ଥା କରିବା ସହ ପରୀକ୍ଷା, ଚିକିତ୍ସା ପାଇଁ ଶୀଘ୍ର ବ୍ୟବସ୍ଥା କରିବେ । ଆପଣ ଜାଣନ୍ତି ନିର୍ମାଣ ଶ୍ରମିକ ଓ ଉଠାଦୋକାନୀ ଙ୍କ ପାଇଁ ଯେଉଁ ସମୁଦ୍ରକୁ ଶଙ୍ଖେ ସହାୟତା ଘୋଷଣା ହୋଇଥିଲା ଆଜି ପର୍ଯ୍ୟନ୍ତ ସମସ୍ତ ପାଖରେ ପହଞ୍ଚି ପାରି ନାହିଁ । ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଭତ୍ତା ଯାହା ଅଗ୍ରୀମ ପ୍ରଦାନ କରାଯାଇଥିଲା ତାହା ଖର୍ଚ୍ଚ ହୋଇଯାଇଛି । ଶ୍ରମିକ, କୃଷକ, କ୍ଷେତମୁଲିଆ, ଉଠାଦୋକାନୀ, ଡ୍ରାଇଭର, ହେଲପର, ଚିତ୍ରକଳା ଶିଳ୍ପୀ, କ୍ଷୁଦ୍ର ବ୍ୟବସାୟୀ ୮୦ରୁ ଉର୍ଦ୍ଧ୍ବ ଦିନ ଲକଡାଉନ ରେ ବହୁ ଆର୍ଥିକ ସମସ୍ୟା ଭିତର ଦେଇ ଗତି କରୁଛନ୍ତି । ପ୍ରବାସୀ ଶ୍ରମିକ ମାନେ କାମଧନ୍ଦା ହରାଇ ଘରେ ବସିଛନ୍ତି । ଏଥିପାଇଁ ଜିଲ୍ଲାବାସୀଙ୍କ ଖାଦ୍ୟ, ରୋଜଗାର ସହାୟତା ପାଇଁ ତୁରନ୍ତ ୫୦ କେଜି ଚାଉଳ, ଜରୁରୀ ରାସନ ଅଟା, ଚିନି, ଡାଲି, ତେଲ, ଲୁଣ ଆଦି ପ୍ରଦାନ କରନ୍ତୁ ଏବଂ ୧୦ ହଜାର ଟଙ୍କା ପ୍ରତ୍ୟେକ ପରିବାର ଆକାଉଣ୍ଟରେ ଜମା କରିବା ପାଇଁ ସି.ପି.ଆଇ(ଏମ୍ଏଲ୍) ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମୁଖରେ ଦୃଢ଼ ଦାବି ରଖୁଅଛୁ ବୋଲି ଜିଲ୍ଲା ସମ୍ପାଦକ ଶଙ୍କର ସାହୁ କହିଛନ୍ତି ।