ସଂକ୍ରମଣ ଚେନ୍ କୁ ଛିଣ୍ଡାଇବା ନିମନ୍ତେ ଜିଲ୍ଲାପାଳଙ୍କ ଗୁରୁତ୍ବ ।

0 873

ଛତ୍ରପୁର, ତା.୨୯/୦୪(ପିପିଟି); ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ସକାଶେ ଜିଲ୍ଲାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଉଛି, ଅକ୍ସିଜେନ ଓ ଔଷଧ ମହଜୁଦ୍ ରଖିବା ଦିଗରେ ଧ୍ୟାନ ଦିଆଯାଇ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା କରାଯାଉଛି । ତତ୍ ସହିତ ସଂକ୍ରମଣ ଚେନ୍ କୁ ଭାଙ୍ଗିବା ଜରୁରୀ ହୋଇ ପଡିଛି । ଏଣୁକରି ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି – ଅତି ଆବଶ୍ୟକ ନ ହେଲେ ଘରୁ କେହି ବାହାରକୁ ବାହାରନ୍ତୁ ନାହିଁ । ଯଦି ଘରୁ ବାହାରକୁ ଯାଉଛନ୍ତି ଠିକ୍ ରୂପେ ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ବ ବଜାୟ ରଖିବା, ସାନିଟାଇଜେସନ୍ କରିବା ଦିଗରେ ଗୁରୁତ୍ବ ଦେଇ ସତର୍କ ରହିବାକୁ କୁହାଯାଉଛି । ଚିକିତ୍ସା ସହିତ ସଂକ୍ରମିତ ଚେନ୍ ଛିଣ୍ଡାଇବା ଦିଗରେ ଅଧିକ ଯତ୍ନ ନେବାପାଇଁ ଗୁରୁବାର ଅନୁଷ୍ଠିତ କୋଭିଡ୍ ପରିଚାଳନା ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜୋର୍ ଦେଇଥିଲେ । ଲୋକଙ୍କ ଜୀବନ ଜୀବିକାକୁ ପ୍ରାଧାନ୍ୟ ଦିଆଯାଉଛି । ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ବନ୍ଦ ନ କରିବାପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବର୍ଷାଋତୁ ଆରମ୍ଭ ପୂର୍ବରୁ ବୃକ୍ଷରୋପଣ କାର୍ଯ୍ୟ ଶେଷ କରିବାକୁ କହିଥିଲେ । ଏସ୍.ଆର୍.ସି. ଗାଇଡ୍ ଲାଇନ୍ ପ୍ରକାରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଜିଲ୍ଲାର ସମସ୍ତ ଦୋକାନ ବଜାର ସକାଳ ୫ଘ. ରୁ ଅପରାହ୍ନ ୨ଘ. ପର୍ଯ୍ୟନ୍ତ ଖୋଲା ରଖନ୍ତୁ ଏବଂ ଅପରାହ୍ନ ୨ଘ. ରୁ ତା ପରଦିନ ସକାଳ ୫ଘ. ପର୍ଯ୍ୟନ୍ତ ବନ୍ଦ ରଖି ଲୋକଙ୍କ ଚଳପ୍ରଚଳ ଓ ଗହଳିକୁ ରୋକି ସଂକ୍ରମଣ ଚେନ୍ କୁ ଖଣ୍ଡନ କରିବା ସକାଶେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । ପଞ୍ଚସୂତ୍ରୀ ନିୟମର କଡା ପାଳନ କରନ୍ତୁ । ଜିଲ୍ଲାର ଗ୍ରୀନ୍ ଜୋନ୍ ଅଞ୍ଚଳ ଏବଂ ରେଡ୍ ଜୋନ୍ ଅଞ୍ଚଳ ଚିହ୍ନଟ କରି ଗ୍ରୀନ୍ ଜୋନ୍ କୁ ସଂକ୍ରମିତ ଦାଉରୁ ରକ୍ଷା କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ଏବଂ ରେଡ୍ ଜୋନ୍ ଅଞ୍ଚଳକୁ କଣ୍ଟେନ୍ ମେଣ୍ଟ ଜୋନ୍ ଘୋଷଣା କରି ସେହିଠାରୁ ସଂକ୍ରମଣ ଯେପରି ବ୍ୟାପୀବ ନାହିଁ ସେ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସଂକ୍ରମିତଙ୍କ ଚିକିତ୍ସା ସକାଶେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ଆଉ ଗୋଟିଏ କାଜୁଆଲିଟି ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଆଉ ଗୋଟିଏ ସେଣ୍ଟର ପ୍ରସ୍ତୁତ କରିବା ସକାଶେ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଯେଉଁ କେନ୍ଦ୍ରର ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ସେମାନଙ୍କୁ ଡିସଚାର୍ଯ କରିବାକୁ କହିଥିଲେ । ମେ ମାସ ପହିଲାରେ ଟାଟା କୋଭିଡ୍ ଚିକିତ୍ସା କେନ୍ଦ୍ର କାର୍ଯ୍ୟ ଆରମ୍ଭ ହେବା ସୂଚନା ଦେଇଥିଲେ । ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ବସ୍ ଗୁଡିକର ଚଳପ୍ରଚଳକୁ ବନ୍ଦ ରଖିବାକୁ କୁହାଯାଇଛି । ଖାଲି ହେଉଥିବା ଅକ୍ସିଜେନ୍ ସିଲିଣ୍ଡର ସଂପୂର୍ଣ୍ଣ ରୂପେ କିପରି ଭରି ହେବ ସେଥି ସକାଶେ ବୈଷୟିକ ଷ୍ଟାଫ୍ ମୁତୟନ କରି ସେଗୁଡିକ ନଜର ରଖି ତଦାରଖ କରିବାକୁ କହିଥିଲେ । ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍ , ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ , ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ , ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚ୍ଚିବ ସମ୍ବିତ ରାଉତ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଂକର ମିଶ୍ର, ଏମ୍. କେ.ସି.ଜି.ର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ , ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.