ଶ୍ରମିକରୁ କଲେଜ ଛାତ୍ରୀ ହେଲେ ଭାଗ୍ୟରେଖା; ଉଚ୍ଚ ଶିକ୍ଷା ପାଇଁ ମିଳିଲା ସୁଯୋଗ ।

0 412

ଭଞ୍ଜନଗର,୨୬/୦୮(ପିପିଟି): ଜଗନ୍ନାଥ ପ୍ରସାଦ ବ୍ଲକର ଅଳସୁ ପଞ୍ଚାୟତ କପାଢେପ ଗ୍ରାମର ଭାଗ୍ୟରେଖା ପ୍ରଧାନ(୧୬) ପ୍ରତିଦିନ ଶ୍ରମିକ ଭାବେ ଜମିରେ କାମ କରି ଯାହା କିଛି ଅର୍ଥ ରୋଜଗାର କରନ୍ତି ସେଥିରେ ଭିନ୍ନକ୍ଷମ ରୋଗୀଣା ମାଆର ଚିକିତ୍ସା ଓ ପରିବାର ପ୍ରତିପୋଷଣ ହୁଏ। ବାପା ବହୁବର୍ଷ ହେଲା ମୃତ୍ୟୁବରଣ କରିଥିବା ବେଳେ ମାଆ ଝିଅ ଏକ ଝାଟିମାଟି ଘରେ ଦୁଃଖ କଷ୍ଟରେ ଚଳୁଛନ୍ତି। ଭାଗ୍ୟରେଖା ଜଣେ ମେଧାବୀ ଛାତ୍ରୀ ହୋଇଥିବାରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୮୯%ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଆଗକୁ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହ ଥିଲେ ମଧ୍ୟ ଅର୍ଥାଭାବରୁ ଭାଗ୍ୟରେଖା ପାଠ ପଢା ଛାଡ଼ି ମୂଲ ଲାଗିବାକୁ ବାଧ୍ୟ ହୋଇଥିଲା। ଏସମ୍ପର୍କରେ ସ୍ୱେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ ଖବର ପାଇ ଭାଗ୍ୟରେଖାକୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଥିଲା। ଏହି ସଂସ୍ଥାର କିଛି ବରିଷ୍ଠ ସଦସ୍ୟ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ୧୯୮୮ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନେ ଭାଗ୍ୟରେଖାକୁ ଶୁକ୍ରବାର ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ନାମ ଲେଖାଇବା ସହ ତାର କଲେଜ ୟୁନିଫର୍ମ ଖର୍ଚ୍ଚ ବହନ କରିଥିବା ବେଳେ ସଙ୍ଗଠନ ତରଫରୁ ମାସିକ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ମଧ୍ୟ ବିପଦର ବନ୍ଧୁ ସଙ୍ଗଠନ ଭଗ୍ୟରେଖାର ସମସ୍ତ ପଢ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବାର ଦାୟୀତ୍ୱ ନେଇଛି। ଭାଗ୍ୟରେଖାର ଅନେକ ଦିନର ଆଶା ପୂରଣ ହେବା ସହ ସଙ୍ଗଠନର ଏଭଳି କାର୍ଯ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.