ବ୍ରହ୍ମପୁର,୨୧/୧୨(ପିପିଟି); ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ଶେରଗଡ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତରେ ପାଣି ଟାଙ୍କିର ନିର୍ମାଣ ପ୍ରାୟ ଦୀର୍ଘ ୦୯ ବର୍ଷ ହେବ ହୋଇଛି। ଶୁଣିବାକୁ ମିଳୁଛି ଏହି ପାଣି ଟାଙ୍କିକୁ ପାଣି ସଠିକ୍ ପ୍ରବେଶ ହେଉନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ପାଇପ ବିଛାଇବାର ତୃଟି ସହିତ ନିମ୍ନ ମାନର ପାଇପ ଲାଇନ ପକାଯାଇଛି , ଯାହା ଫଳରେ ବାକିଲିକଣା ପମ୍ପରୁ ପାଣି ଟାଙ୍କିକୁ ଉଠି ପାରୁ ନାହିଁ। ବର୍ତ୍ତମାନ ପମ୍ପରୁ ଗୋବିନ୍ଦପୁରକୁ ପାଣି ଯୋଗାଣ ହେଉଛି । ଗାଁ ଲୋକେ କହିଛନ୍ତି ସ୍ବଳ୍ପ ସମୟ ପାଣି ଆସୁଥିଲେ ମଧ୍ୟ ସବୁ ସାହିକୁ ସଠିକ୍ ପାଣି ମିଳୁନାହିଁ। ଗ୍ରାମର ତଳୁଆ ଅଞ୍ଚଳରେ ପାଣି କିଛି ସମୟ ଆସୁଥିଲେ ମଧ୍ୟ ସାମାନ୍ୟ ଉଚ୍ଚା ଅଞ୍ଚଳରେ ପାଣିର ଗତି ସ୍ଲୋ ହେଉଛି। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପାନୀୟ ଜଳ ଯୋଗାଣ ହୋଇ ପାରୁନାହିଁ । ଉକ୍ତ ପ୍ରକଳ୍ପ ନିର୍ମାଣ ସମୟରେ ଠିକାଦାର ଠାରୁ ଦୁଇଟି ବାଇକ୍ ଦୁଇ ଜଣ ଗିଫିଟ୍ ନେଇଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି ! ଏହି ଚର୍ଚ୍ଚା କେତେ ଦୂର ସତ୍ୟ ଅନୁସନ୍ଧାନ ସାପେକ୍ଷ। ବର୍ତ୍ତମାନ ପୁରୁଣା ଟାଙ୍କି ନିକଟରେ ନୂତନ ଭୂତଳ ଟାଙ୍କି ନିର୍ମାଣ ସରିଛି କିନ୍ତୁ କାର୍ଯ୍ୟକ୍ଷମ ହୋଇ ନାହିଁ। ଘଟଣା ସମ୍ପର୍କରେ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ୍ ଯୋଗେ ପଚାରି ବୁଝିଥିଲୁ, ସେ କହିଛନ୍ତି ନୂତନ ଭୂତଳ ଟାଙ୍କି ନିର୍ମାଣ ସରିଛି ତାକୁ ପରୀକ୍ଷା ମୂଳକ ଭାବେ କାର୍ଯ୍ୟକ୍ଷମ କରି ସ୍ଥିତି ଅନୁଧ୍ୟାନ ପରେ ନିୟମିତ ପାନୀୟ ଜଳ ଯୋଗାଣ କାର୍ଯ୍ଯ ଆରମ୍ଭ କରାଯିବ। ପୁରୁଣା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଓ ରକ୍ଷଣାବେକ୍ଷଣ ରେ ଦୁର୍ନୀତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ସମୀକ୍ଷା କରିବା ସହିତ ସେ ସମୟରେ କାର୍ଯ୍ୟରତ ଯନ୍ତ୍ରୀ ମାନଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ସାଧାରଣରେ ଦାବି ହେଉଛି। ସରକାରଙ୍କ ଅର୍ଥ ବିନିଯୋଗ ହେଉଥିଲେ ମଧ୍ୟ ପିସି କାରବାର ସଠିକ୍ ଜଳ ଉତ୍ସର ସନ୍ଧାନ ନହେବା ଓ ତୃଟିପୂର୍ଣ୍ଣ ଏବଂ ନିମ୍ନମାନର ପାଇପ୍ ପାଇଁ ପ୍ରକଳ୍ପ ଗୁଡିକ ଅଚଳ ହେଉଛି।