ବ୍ରହ୍ମପୁର,୨୪/୦୮(ପିପିଟି): ମୃତ୍ୟୁ କାହାକୁ କେତେବେଳେ କୋଉ ମୁହୂର୍ତ୍ତରେ କିମିତି ଆସିବ ତାହା କିଏ ବି କହିପାରିବ ନାହିଁ । ଆଜି ଇମିତି ଏକ ହୃଦୟଥରା ଘଟଣା ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଡା ଛକ ଠାରେ ଦେଖିବାକୁ ମିଳିଛି । ଆଜି ସକାଳ ୧୦ଟା ସମୟରେ ବାଇକର ପଛପଟକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଜଣେ ମହିଳାଙ୍କ ଘଟଣା ସ୍ଥଳେ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ଭର୍ତ୍ତି ସାମାନ୍ୟ ଆହତ ହୋଇଥିଲେ ସ୍ୱାମୀ ଓ ଦେଢ଼ ବର୍ଷର ଶିଶୁପୁତ୍ର । ମୃତ ମହିଳା ଜଣକ ହେଲେ ଶ୍ରୀକାକୁଲମ ଜିଲ୍ଲା କାଞ୍ଚିଲି ଥାନା ଅନ୍ତର୍ଗତ ମଠ ଶିରିଆ ଗାଁର ବସନ୍ତ ବେହେରାଙ୍କ ପତ୍ନୀ ଝରଣା ବେହେରା (୨୨) । ମିଳିଥିବା ସୂଚନା ଅନୁଯାୟୀ ସ୍ୱାମୀ ବସନ୍ତ ଏବଂ ସ୍ତ୍ରୀ ଝରଣା ସାଙ୍ଗରେ ଦେଢ଼ବର୍ଷର ଶିଶୁ ପୁତ୍ରକୁ ଧରି ନିଜପଲସର ବାଇକ ନଂ ଓଡି୦୭ଭି-୨୬୨୨ ଯୋଗେ ପୋଲିଓ ଦେବା ପାଇଁ ବ୍ରହ୍ମପୁର ଯାଉଥିବା ବେଳେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ଏକ ଟ୍ରକ ନଂ ଏପି୨୧ ଟିଏ ୩୪୩ ଦ୍ରୁତ ଗତିରେ ଆସି ବାଇକ ପଛରୁ ଧକ୍କା ଦେଇଥିଲା । ଯାହା ଫଳରେ ସ୍ୱାମୀ ବସନ୍ତ ଓ ଦେଢ଼ବର୍ଷର ଶିଶୁପୁତ୍ର ରାସ୍ତା ରାସ୍ତାର ଗୋଟିଏ ପାଶ୍ୱରେ ଛିଟିକି ପଡ଼ି ସାମାନ୍ୟ ଆହତ ହୋଇଥିବା ବେଳେ ବାଇକ ପଛରେ ବସିଥିବା ସ୍ତ୍ରୀ ଝରଣା ଟ୍ରକ ଚକା ତଳେ ଚାପି ହୋଇଯିବାଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁଘଟିଥିଲା । ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହାନ୍ତି ଓ ଥାନା କର୍ମଚାରୀ ଘଟଣା ସ୍ଥଳେ ପହଞ୍ଚି ମୃତଦେହକୁ ଜବତ କରି ପୁଲିସ ଜିପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇଥିଲେ । ଏ ନେଇ ଥାନା କେଶ ନଂ ୨୯୯/୨୨ରେ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକକୁ ଜବତ କରିଥିବା କରି ତଦନ୍ତ କରୁଛି ପୁଲିସ ।
(ରିପୋର୍ଟ- ଆରତ କୁମାର ହୋତା। )
Prev Post