ଶିକ୍ଷକଙ୍କ ନକଲି ପ୍ରମାଣପତ୍ର ଯାଞ୍ଚରେ ଢିଲା;ଗଞ୍ଜାମ ଜିଲ୍ଲାର ୧୦ ଜଣ ବିଇଓଙ୍କ ଦରମା ବନ୍ଦ।

0 2,420

ବ୍ରହ୍ମପୁର,୦୮/୦୯(ପିପିଟି): ଶିକ୍ଷା ବିଭାଗରେ ନକଲି ପ୍ରମାଣପତ୍ର ଦେଇ ହଜାର ହଜାର ସଂଖ୍ୟାରେ ଶିକ୍ଷକ ପଦବୀ ଓଡ଼ିଶାରେ ପାଇଥିବା ନେଇ ବିଭିନ୍ନ ସମୟର ଚର୍ଚ୍ଚା ଶୁଣିବାକୁ ମିଳୁଛି। ବିଭିନ୍ନ ସଂଗଠନ ଅଭିଯୋଗ ପରେ ଜାଲ୍ ଶିକ୍ଷକ ନିଯୁକ୍ତିର ଗୁମର ଖୋଲିଛି। ନକଲି ପ୍ରମାଣପତ୍ର ଯାଞ୍ଚ ପାଇଁ ଶିକ୍ଷା ବିଭାଗ ବାରମ୍ବାର ଚିଠି କରିଥିଲେ ମଧ୍ଯ ବିଇଓ ଓ ଡିପିସି ଗୁରୁତ୍ବ ନଦେଇ ଜାଲ୍ ପ୍ରମାଣପତ୍ର ଧାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ସିବିଆଇ ତଦନ୍ତ ପାଇଁ ଦାବି ହେବା ଏବଂ ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲା ହେବାପରେ ଶିକ୍ଷା ନିର୍ଦ୍ଦେଶାଳୟ ସକ୍ରିୟ ହୋଇ ଉଠିଛି। ସୂଚନା ଅନୁଯାୟୀ ଗତମାସ ୩୧ ସୁଦ୍ଧା ନକଲି ଶିକ୍ଷକଙ୍କ ତଥ୍ଯ ଦେବାକୁ ପ୍ରଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଥିଲା। ୪ ଥର ତଥ୍ଯ ମଗାଯାଇଥିଲେ ମଧ୍ଯ ବହୁ ଶିକ୍ଷା ଅଧିକାରୀ ତଥ୍ଯ ଦାଖଲ କରିନଥିଲେ। ଏହାକୁ ଦୃଷ୍ଟିରେ ରଖି ପ୍ରଥମିକ ଶିକ୍ଷା ନିର୍ଦ୍ଦେଶାଳୟ ମୋଟ ୧୨ ଜିଲ୍ଲାର ୩୬ ବିଇଓଙ୍କ ଦରମା ବନ୍ଦ ପାଇଁ ସଂପୃକ୍ତ ଜିଲ୍ଲାର କୋଷାଗାର ଅଧିକାରୀଙ୍କୁ ଚିଠି ନମ୍ବର ୧୪୩୫୫, ତା-୦୪/୦୯/୨୧ ଲେଖାଯାଇଛି। ଗଞ୍ଜାମ ଜିଲ୍ଲାର ଧରାକୋଟ, ବେଗୁନିଆପଡା, ଆସ୍କା, କବିସୂର୍ଯ୍ୟନଗର, ଛତ୍ରପୁର, ଖଲ୍ଲିକୋଟ, ଗଞ୍ଜାମ, ପାତ୍ରପୁର, ଶେରଗଡ ଓ ହିଞ୍ଜିଳିକାଟୁ ବିଇଓଙ୍କ ଦରମା ବନ୍ଦ କରାଯାଇଛି। ବୁଗୁଡାର ପୂର୍ବତନ ବିଇଓଙ୍କ ଦରମା ମଧ୍ଯ ବନ୍ଦ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୫ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାମରେ ଏତଲା,୧୧ ବହିଷ୍କୃତ ହୋଇଥିବା ନେଇ ବିଶେଷ ସୂତ୍ରରୁ ଜଣାପଡିଛି। କେତେକ ଚାକିରୀ ଛାଡିଥିଲେ ମଧ୍ଯ ତାଙ୍କର ତଦନ୍ତ ଏପର୍ଯ୍ୟନ୍ତ ହୋଇ ନାହିଁ। ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ୧୪୨ ଏବଂ ଅଲ୍ ଇଣ୍ଡିଆ ୟୁଥ୍ ଲିଗ୍ ପକ୍ଷରୁ ୨୪ ଜଣଙ୍କ ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ ଅଭିଯୋଗ କରାଯାଇଛି। ଗଞ୍ଜାମ ଜିଲ୍ଲାର ଅନ୍ଯ ସଂଗଠନ ଓ ବ୍ଯକ୍ତିବିଶେଷ ମଧ୍ଯ ପ୍ରମାଣପତ୍ର ଯାଞ୍ଚ ପାଇଁ ଅଭିଯୋଗ କରିଥିବା ନେଇ ଶୁଣିବାକୁ ମିଳୁଛି। ଫରୱାର୍ଡ ବ୍ଲକ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ଗଞ୍ଜାମ ଜିଲ୍ଲାରେ ଜାଲ ପ୍ରମାଣପତ୍ରରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ଉଠାଇଥିଲେ। ଶ୍ରୀ ମହାନ୍ତି ତା- ୦୬/୧୧/୨୦୧୯ ରେ ୩୮ ଜଣ,ତା- ୧୫/୦୯/୨୦୧୯ ରେ ୩୩ ଜଣ, ତା- ୦୯/୧୨/୨୦୧୯ ରେ ୩୯ ଜଣ, ତା- ୨୯/୦୧/୨୦୨୦ ରେ ୧୩ ଜଣ,ତା – ୦୩/୦୨/୨୦୨୦ ରେ ୧୬ ଜଣ, ତା- ୦୭/୦୩/୨୦୨୦ ରେ ୦୨ ଜଣ,ତା- ୦୨/୦୪/୨୦୨୧ ରେ ୦୧ ଜଣଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ଶିକ୍ଷା ବିଭାଗ ଓ ରାଜ୍ଯ ସରକାରଙ୍କୁ ଅନୁରୋଧ କରିଥିଲେ। ୟୁଥ୍ ଲିଗ୍ ପକ୍ଷରୁ ପ୍ରମାଣପତ୍ର ଯାଞ୍ଚ ପାଇଁ ତା- ୦୭/୦୩/୨୦୨୦ ରେ ୨୪ ଜଣଙ୍କ ନାମ ଦେଇଥିଲେ। ୨୦୧୯ ରୁ ଆଜି ପର୍ଯ୍ୟନ୍ତ ୧୬୬ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରମାଣପତ୍ର ସଠିକ୍ ଯାଞ୍ଚ ନହୋଇ ପାରିବା ଯୋଗୁଁ ବିଇଓ ଓ ଡିପିସି କାର୍ଯ୍ଯାଳୟ ସନ୍ଦେହ ଘେରକୁ ଆସିଯାଇଛି। ବିଇଓ ମାନଙ୍କ ବିରୁଦ୍ଧରେ ବିଭାଗୀୟ ଓ ଆଇନଗତ କାର୍ଯ୍ଯାନୁଷ୍ଠାନ ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଜାଲ୍ ପ୍ରମାଣପତ୍ରର ଚେର ଅତି ଗଭୀର, ଶିକ୍ଷା ବିଭାଗ କିମ୍ବା ରାଜ୍ଯ ସରକାର ତଦନ୍ତ କରିବା ମୁସ୍କିଲ ତେଣୁ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଉ। ଆଗମୀ ଦିନରେ ଗଞ୍ଜାମ ଜିଲ୍ଲା ସମେତ ଅନ୍ଯ ଜିଲ୍ଲାର କିଛି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ପର୍ଯ୍ଯାୟକ୍ରମେ ତାଲିକ ଦିଆଯିବ ବୋଲି ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ସୂଚନା ଦେଇଛନ୍ତି।

(ରିପୋର୍ଟ- ଅଜିତ୍ କୁମାର ପଟ୍ଟନାୟକ/ଆରତ କୁମାର ହୋତା। )

Leave A Reply

Your email address will not be published.