ଶହୀଦ ଅନ୍ନଦାତାଙ୍କ ସ୍ମୃତିରେ ୨୦ ଡିସେମ୍ବର ଜାତୀୟ ଶ୍ରଦ୍ଧାଞ୍ଜଳୀ ଦିବସ ଭାବେ ପାଳନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ।
ବ୍ରହ୍ମପୁର : ୧୮/୧୨;ସର୍ବଭାରତୀୟ ସ୍ତରରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଡାକରା ଅନୁଯାୟୀ ଡିସେମ୍ବର ୨୦ ତାରିଖରେ ଶହୀଦ୍ କୃଷକ ଯୋଦ୍ଧାମାନଙ୍କର ସ୍ମତି ଉଦ୍ଦେଶ୍ୟରେ ଜାତୀୟ ଶ୍ରଦ୍ଧାଞ୍ଜଳୀ ଦିବସ ପାଳନ କରାଯିବ । ଓଡିଶାରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡିଶା ରାଜ୍ୟ ଆବାହକମଣ୍ଡଳୀ ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ନିବେଦନ କରାଯାଇଛି, ଯେ ଡିସେମ୍ବର ୨୦ ତାରିଖରେ ସାରା ଓଡିଶାରେ ଗ୍ରାମ ପଞ୍ଚାୟତା/ବ୍ଲକ୍ ସହର ଏବଂ ରାଜ୍ୟ ରାଜଧାନୀରେ ଏହି କାର୍ଯ୍ୟକ୍ରମ ସଂଗଠିତ କରାଯିବ । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ଚଲୋ’ କୃଷକ ଆନ୍ଦୋଳନରେ ୩୧ ଜଣ କୃଷକ ଯୋଦ୍ଧା ଶହୀଦ୍ ହୋଇଛନ୍ତି। ସାରା ରାଜ୍ୟରେ ଏହି ଶହୀଦମାନଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇବା ଉଦ୍ଦେଶ୍ୟରେ ରାଜ୍ୟ ତମାମ ଧାରଣା, ଗଣ ଅନଶନ, କ୍ୟାଣ୍ଡେଲ ଲାଇଟ୍ ଯାତ୍ରା, ସଭା ଇତ୍ୟାଦି ସଂଗଠିତ କରିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି ହୋଇଛି । ରାଜଧାନୀ ଭୁବନେଶ୍ଵରରେ ମହାତ୍ମାଗାନ୍ଧୀ ମାର୍ଗଠାରେ ଏବଂ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡଠାରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦିଲ୍ଲୀ ଚଲୋ କୃଷକ ଆନ୍ଦୋଳନ ସହିତ ସଂପୃକ୍ତ ସମସ୍ତ କୃଷକ ସଂଗଠନ ଏବଂ ସଂହତି ତଥା ସମର୍ଥନ ଜଣାଇଥିବା ଶ୍ରମିକ, ମହିଳା, ଯୁବ-ଛାତ୍ର, ଆଦିବାସୀ, ଦଳିତ ସଂଗଠନ, ରାଜନୈତିକ ଦଳ ଏବଂ ଜନବାଦୀ ବୁଦ୍ଧିଜିବୀମାନେ ସାରା ରାଜ୍ୟର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଅନ୍ନଦାତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ନିମନ୍ତେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ତଥା ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା (ଏ.ଆଇ.କେ.କେ.ଏସ୍)ର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ସୁରେଶ ପାଣିଗ୍ରାହୀ, କ୍ଷୀରୋଦ କୁମାର ସିଂହଦେଓ, ଅଶୋକ ପ୍ରଧାନ, ଜ୍ୟୋତି ରଞ୍ଜନ ମହାପାତ୍ର, ଭାଲଚନ୍ଦ୍ର ଷଡ଼ଙ୍ଗୀ, ଶ୍ରୀକାନ୍ତ ମହାନ୍ତି, ରଘୁନାଥ ଦାସ, ପ୍ରଫୁଲ୍ଲ ସାମନ୍ତରାୟ, ଲିଙ୍ଗରାଜ, ନରେନ୍ଦ୍ର ମହାନ୍ତି, ସଚୀନ୍ ମହାପାତ୍ର, ସିମାଞ୍ଚଳ ନାହାକ, ବିଜୟ ସାଇଁ, ବଳଭଦ୍ର ମାଝି ଏବଂ ବିରଞ୍ଚି ବରିହା ପ୍ରମୁଖ କୃଷକ ସଂଗଠନର ନେତୃବୃନ୍ଦ ଏକ ପ୍ରେସ୍ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି ।