ମାଲକାନଗିରି,୨୨/୦୬(ପିପିଟି):
କୋରୁକୋଣ୍ଡା ଲ୍ୟାମ୍ପସ୍ ନିର୍ବାଚନର ପରିସମାପ୍ତ ଘଟିଛି । ବାକିଅଛି ସଭାପତି ଚୟନ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ ଲାଗି ୧୯ ତାରିଖରେ କୋରୁକୋଣ୍ଡା ଲ୍ୟାମ୍ପସ୍ ଅଧୀନରେ ଥିବା ୧୫ଟି ଜୋନ୍ ପାଇଁ ମୋଟ ୬୮ ଜଣ ନାମାଙ୍କନପାତ୍ର ଦାଖଲ କରିଥିବା ବେଳେ ସେଥିମଧ୍ୟରୁ ୫ଟି ଜୋନ୍ର ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ତେବେ ଏହାପରେ ଅନ୍ୟ ୧୦ଟି ଜୋନ୍ ପାଇଁ ୨୦ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିବାବେଳେ ଉକ୍ତ ୧୦ଟି ଜୋନ୍ ପାଇଁ ତିନୋଟି ସ୍ଥାନରେ ୧୦ଟି ବୁଥ୍ କରାଯାଇଥିଲା । ବୁଥ୍ ଗୁଡ଼ିକରେ ସ୍ଥାନୀୟ ପ୍ରଶାସନ ଦ୍ଵାରା ସମସ୍ତ ପ୍ରକାର ବନ୍ଦୋବସ୍ତ କରଯାଇଥିଲା । ଆଇନ ଶୃଙ୍ଖଳା ରକ୍ଷାକରିବା ପାଇଁ ପୁଲିସ ମୁତୟନ କରାଯାଇଥିଲା । ଭୋଟରମାନେ କିପରି ଶାନ୍ତିଶୃଙ୍ଖଳାର ସହ ନିଜ ପସନ୍ଦର ସଭ୍ୟଙ୍କୁ ଭୋଟଦେଇ ପାରିବେ ସେଥି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରଯାଇଥିଲା । ସକଳ ୭ଟା ରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ କେନ୍ଦ୍ରମାନଙ୍କରେ ଭୋଟ୍ଦାନ ପ୍ରଦାନ ଲାଗି ସମୟ ନିର୍ଦ୍ଧାରଣ କରାଯାଇଥିଲା । ଶେଷରେ ସମସ୍ତ ବୁଥର ବକ୍ସ ଗୁଡିକୁ କୋରୁକୋଣ୍ଡାସ୍ଥିତ ପ୍ରାଇମେରୀ ସ୍କୁଲକୁ ଆଣାଯିବା ପରେ ସେଠାରେ ଗଣତି ଆରମ୍ଭ ହୋଇଥିଲା । ଗଣତି ପରେ ଉକ୍ତ ନିର୍ବାଚନରେ ବିଜେଡି ସମର୍ଥିତ ୯ ଜଣ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ , କଂଗ୍ରେସ ସମର୍ଥିତ ୪ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ସେହିପରି ୨ଜଣ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଆଗାମୀ ଜୁଲାଇ ୬ତାରିଖରେ ସଭାପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରାଯିବ । ଏବଂ ଜୁଲାଇ ୧୪ତାରିଖରେ ସଭାପତି ନିର୍ବାଚନ ହେବ ବୋଲି ନିର୍ବାଚନ ଅଧିକାରୀ ଅଶୋକ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ତେବେ ସଭାପତି ପଦ ହାତେଇବା ଲାଗି ଆଶାୟୀ ପ୍ରାର୍ଥୀମାନେ ନିଜ ନିଜର ପ୍ରୟାସ ଜାରି ରଖିଥିବା ବେଳେ କିଏ ଏହି ପଦ ହାତେଇବ ତାହାକୁ ସମସ୍ତଙ୍କ ଅପେକ୍ଷା ରହିଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)