ଗାଙ୍ଗପୁର,୨୨/୧୧(ପିପିଟି), ଗତ ଅକ୍ଟୋବର ମାସରେ ହୋଇଥିବା ଚୋରି ଘଟଣାରେ ବେଲଗୁଣ୍ଠା ପୁଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି । ଘଟଣାର ତଦନ୍ତ କରି ପୁଲିସ ଏକ ବାପ ପୁଅ ଚୋରି ଗ୍ୟାଙ୍ଗ୍ ର ଚାରି ଜଣଙ୍କୁ ଗିରଫ କରିଛି । ଖବର ଅନୁଯାୟୀ ଗତ ଅକ୍ଟୋବର ୧୫/୧୬ ତାରିଖ ମଧ୍ୟ ରାତ୍ରିରେ ଚୋର ମାନେ ସାଇକେଲ୍ ହାତୁଡି ଏବଂ ସ୍କୃ ଦ୍ୱାରା ଗ୍ରୀଲ ତାଡ଼ି ବେଲଗୁଣ୍ଠା ମୁଖ୍ୟ ସଡ଼କ ପାର୍ଶ୍ୱରେ ଥିବା ଲୋକନାଥ ଭବନରୁ ନଗଦ ୮୨୦୦୦ ଟଙ୍କା ସହ କିଛି ସୁନା ଅଳଙ୍କାର ଚୋରି କରିନେଇଥିଲେ । ଏନେଇ ଚୋରିର ଶିକାର ହୋଇଥିବା କାଳୁ ଚରଣ ପଣ୍ଡା ବେଲଗୁଣ୍ଠା ଫାଣ୍ଡିରେ ୧୬ ତାରିଖରେ ଅଭିଯୋଗ କରିବା ପରେ ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରିବା ସହ ୫୪୨/୨୦ ରେ ଏକ କେସ୍ ରୁଜୁ କରି ତଦନ୍ତ ଜାରି ରଖିଥିଲେ । ଦୀର୍ଘ ଏକ ମାସର ତଦନ୍ତ ପରେ ଏହି ଘଟଣାରେ ପୁଲିସ ଶନିବାର ଦିନ ଚାରି ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୪୫୨୫୦ ଟଙ୍କା ସହ ଗୋଟିଏ ସୁନା ମୁଦି, ରୂପା ସିନ୍ଦୁର ଫରୁଆ, ରୂପା ପାଉଁଜି ସହିତ୍ ଚୋରିରେ ବ୍ୟବହୃତ ଦୁଇଟି ସାଇକେଲ୍ ହାତୁଡି, ସ୍କୃ ଡ୍ରାଇଭର ସହିତ୍ ଅନ୍ୟାନ୍ୟ କବାଟ ଭଙ୍ଗା ସାମଗ୍ରୀ ଜବତ କରିଛି I ଗିରଫ ହୋଇଥିବା ସମସ୍ତ ଚାରି ଜଣ ହେଲେ ବୁଗୁଡା ଗୋଲାପୂରର ଲକ୍ଷ୍ମୀ ପାତ୍ର (୪୬), ଲକ୍ଷ୍ମୀ ପାତ୍ରର ପୁଅ ଉତ୍ତମ ପାତ୍ର (୨୫), ଲକ୍ଷ୍ମୀ ପାତ୍ରର ଜ୍ୱାଇଁ ପୋଚାଲୁଣ୍ଡି ଗ୍ରାମର ଚିରଞ୍ଜିବୀ ପାତ୍ର ଏବଂ ଶଳା ନରସିଂହପୁର ରଣେଶପୁରର ଜାପାନୀ ପାତ୍ର ଓରଫ ମୁନା । ଘଟଣାର ତଦନ୍ତ କରି ଏହି ବାପ ପୁଅ ଗ୍ୟାଙ୍ଗ୍ ଆଗରୁ ବୁଗୁଡା,ଜଗନ୍ନାଥପ୍ରସାଦ, ଭଞ୍ଜନଗର, ଶେରଗଡ଼, ଧରାକୋଟ, ବଡ଼ଗଡ଼, ପାଟପୁର ଆଦି ଅଞ୍ଚଳରେ ୧୧ ଟି ମାମଲାରେ ସମ୍ପୃକ୍ତି ଥିବା ଜାଣି ପାରିଛି । ବେଲଗୁଣ୍ଠା ପୁଲିସର ଏହି ସଫଳତା ପାଇଁ ଅଞ୍ଚଳବାସୀ ପୁଲିସକୁ ସାଧୁବାଦ ଜଣାଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )