ରାୟଗଡା,୦୨/୦୬(ପିପିଟି); ରାୟଗଡା ପ୍ରେସ ୟୁନିଅନ୍ ତରଫରୁ ରାୟଗଡ ସହର ଉପକଣ୍ଠ ନୂଆ କଟଲାଗୁଡା ସାହିରେ ବସବାସ କରୁଥିବା ୪୦ଜଣ ଗରୀବ ଅସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ ସହ ମାସ୍କ ବଣ୍ଟନ କରାଯାଇଥିଲା। ମହାମାରୀ କରୋନା ମୁକାବିଲା ପାଇଁ କୋଭିଡ ସୁରକ୍ଷା ନିୟମ ପାଳନ ନିମନ୍ତେ ଉଦ୍ଦିଷ୍ଟ ଜନ ସଚେତନତା ସାମାଜିକ କାର୍ଯ୍ୟକ୍ରମ କରାଯାଇଥିଲା। ମହାମାରୀ କରୋନାର ଦ୍ୱିତୀୟ ଲହରରେ ମଧ୍ୟ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ତାଲାବନ୍ଦ କଟକଣା ଯୋଗୁଁ ଦିନ ମଜୁରିଆମାନେ କାମଧନ୍ଦା ନ ପାଇ ରୋଜଗାର ନ ଥାଇ ଅତି କଷ୍ଟରେ ପରିବାର ସହ ଚଳୁଛନ୍ତି।ପ୍ରଶାସନ ସମେତ ବିଭିନ୍ନ ମହଲରୁ ଗରୀବ ଅସହାୟ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବଂଟନ କରାଯାଉଥିବା ବେଳେ ପ୍ରେସ୍ ୟୁନିଅନ ରାୟଗଡ ଜିଲ୍ଳା ସଭାପତି ସୁବାଷ ଚନ୍ଦ୍ର ସୂର୍ଯ୍ୟଙ୍କ ନେତୃତ୍ୱରେ ସଂଘର ସମାଜ ସେବା କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ଦିଗରେ ଏହି ଶୁଖିଲା ସାମଗ୍ରୀ ଓ ମାସ୍କ ବଂଟନ କାର୍ଯ୍ୟକ୍ରମ ହୋଇଥିଲା। ଚାଉଳ, ଡାଲି,ତେଲ,ସାବୁନ,ହଳଦୀ ଓ ଲଙ୍କାଗୁଣ୍ଡ, ଆଳୁ,ପିଆଜ, ସୋୟାବିନ୍ ବଡି ଓ ଅନ୍ୟାନ୍ୟ ସାମ୍ରଗୀଗୁଡିକ ପ୍ୟାକେଟ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା।ସେହିପରି ସଂଘର ସଦସ୍ୟମାନେ ନୂଆ କଟଲାଗୁଡା ଗ୍ରାମବାସୀଙ୍କୁ ମହାମାରୀ କରୋନା ମୁକାବିଲା କରିବା ପାଇଁ ହାତକୁ ନିୟମିତ ଧୋଇବା, ମାସ୍କ ପିନ୍ଧିବା ଓ ଜନଗହଳି ସ୍ଥାନକୁ ନ ଯାଇ ସାମାଜିକ ଦୂରତା ବଜାୟ ରଖିବା। ଅତି ଆବଶ୍ୟକ ନ ହେଲେ ଘରୁ ବାହାରିବା ଆଦି ବିଷୟଗୁଡିକ ନେଇ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘ ସଦସ୍ୟ ବିଜୟ କୁମାର ମହାରଣା, ଆଲାରାମ ଭତ୍ରା, ସୁରେଶ କଣ୍ଡା, ସନ୍ତୋଷ ପାଣି, ଉଦୟ କୁମାର, ଲୋକନାଥ ପାଲ, କମଳ ଲୋଚନ, ରାଜ କୁମାର ଲିମା, ସୋନୁ ବାଗ୍, ଜୟ ମହାପାତ୍ର, ମାଲେଶ କୈାଶଲ୍ୟା, ଶିବ ନାରାୟଣ ଗଉଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକୁ ଆଗେଇ ନେଇଥିଲେ।
(ରିପୋର୍ଟ- ନବୀନ ନାୟକ ବେହେରା। )