ରାସ୍ତା କଡ଼ରେ ମୃତ ନବଜାତ ଯାଆଁଳା ଶିଶୁ ; ପୁଲିସ ର ତଦନ୍ତ ଜାରି ।

0 489

ବେଲଗୁଣ୍ଠା,୦୫/୦୧(ପିପିଟି); ଆଜି ଭୋର୍ ସମୟରେ କିଛି ଲୋକ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ କଣ୍ଟେଇପଲି ଛକରୁ ସୋରଡ଼ା ଯିବା ରାସ୍ତାରେ ମାତ୍ର ୩୦୦ ମିଟର ଦୂରରେ ଏକ ନବ ଜାତକ ଲୁଙ୍ଗି ଗୁଡ଼େଇ ହୋଇ ପଡ଼ି ଥିବାର ଏବଂ ତା ନିକଟରେ କୁକୁର ଭୁକୁ ଥିବାର ଦେଖିବାକୁ ପାଇଥିଲେ । ଏନେଇ ସେମାନେ କଣ୍ଟେଇପଲି ପୋଲିସ୍ ବିଟ୍ ରେ ଖବର ଦେଇଥିଲେ । ଏହି ଖବର ସ୍ଥାନୀୟ ଅଞ୍ଚଳରେ ବିଜୁଳି ବେଗରେ ପ୍ରଚାରିତ ହେବା ପରେ ନବ ଜାତକକୁ ଦେଖିବା ପାଇଁ ବହୁ ଲୋକ ରୁଣ୍ଡ ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଗାଙ୍ଗପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୁଙ୍ଗି ଖୋଲି ଦେଖିବା ବେଳକୁ ଭିତରେ ଗୋଟିଏ ନୁହେଁ ଦୁଇ ଯମଜ ନବଜାତକଙ୍କର ମୃତ ଶରୀର ଥିଲା । ଏଥିରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଶିଶୁର ମୃତ ଶରୀର ଥିଲା । ମୃତ ଶିଶୁ ଦୁଇଟି ଦଶ ଘଣ୍ଟା ଭିତରେ ଜନ୍ମ ହୋଇଥିବାର ଅନୁମାନ କରାଯାଉଛି । ଏହି ଶିଶୁ ଦୁଇଟି କାହାର ଏବଂ ସେମାନଙ୍କ ମୃତ ଶରୀର ଏଠାକୁ କେମିତି ଆସିଲା ସେନେଇ ସ୍ଥାନୀୟ ଲୋକେ କିଛି କହି ପାରୁନଥିବା ବେଳେ କୌଣସି ବାହାର ବ୍ୟକ୍ତି ଶିଶୁ ଦୁଇଟିକୁ ଆଣି ଜଙ୍ଗଲ ନିକଟରେ ଫୋପାଡ଼ି ଦେଇ ଚାଲିଯାଇଥିବାର ପୁଲିସ ଅନୁମାନ କରୁଛି । ଶିଶୁ ଦୁଇଟିର ମୃତ ଶରୀରକୁ ପୁଲିସ ଭଞ୍ଜନଗର ମେଡିକାଲରେ ବ୍ୟବଚ୍ଛେଦ କରାଇ ପୋତି ଦେବା ପରେ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି । କୌଣସି ଅବୈଧ ସମ୍ପର୍କର ଶିଶୁ ଦୁଇଟି ଜନ୍ମ ହୋଇଥିବା କିମ୍ବା କୌଣସି ମହିଳା ମେଡିକାଲ୍ ଯିବା ରାସ୍ତାରେ ମୃତ ଶିଶୁ ଜନ୍ମ ହୋଇଥିବାରୁ ଶିଶୁ ଦୁଇଟିକୁ ରାସ୍ତା କଡ଼ରେ ଫୋପାଡ଼ି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏହି ଦିଗରେ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ହିଁ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.