ମାଲକାନଗିରି,୦୨/୦୪(ପିପିଟି): କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ଯାଳୟ ଶିକ୍ଷକ କରୁଣାକର ମଲିକଙ୍କୁ ଉତ୍କଳ ଦିବସ ଅବକାଶରେ ପ୍ରଥମ ଥର ପାଇଁ ମାଧ୍ୟମିକ ସ୍ତରରେ ରାଜ୍ୟ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଛି । ମାଲକାନଗିରିରେ ୨୦୧୩ରେ ଜିଲ୍ଲା ଶିକ୍ଷା କାର୍ଯ୍ଯାଳୟ ସ୍ଥାପନ ହେଲା ପରେ ୨୦୧୭ ମସିହାରେ ରାଜ୍ୟ ଶିକ୍ଷକ ସମ୍ମାନ ପାଇଁ ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ କରୁଣାକର ମଲିକ ରାଜ୍ୟ ସରକାରଙ୍କ ତରଫରୁ କୃତି ଶିକ୍ଷକ ଭାବେ ଚୟନ ହୋଇଥିଲେ। କୌଣସି କାରଣରୁ ଏହି ସମ୍ମାନ ସ୍ଥଗିତ ଥିଲା । ୨୦୨୩ ଉତ୍କଳ ଦିବସରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ତିରିଶି ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ସୂଚନା ଲୋକ ସମ୍ପର୍କ ବିଭାଗକୁ ପବିତ୍ର ଉତ୍କଳ ଦିବସରେ ଏହି ସମ୍ମାନଜନକ ପୁରସ୍କାର ଜିଲ୍ଲା ସ୍ତରରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲା ତରଫରୁ ଆୟୋଜିତ ଉତ୍କଳ ଦିବସରେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ଶକ୍ଷକ କରୁଣାକର ମଲିକଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷକ କରୁଣାକର ମଲିକ ପବିତ୍ର ଉତ୍କଳ ଦିବସରେ ରାଜ୍ଯ ଶିକ୍ଷକ ପୁରସ୍କାର ପାଇଲା ପରେ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକମାନେ ଶୁଭେଚ୍ଛା ଜଣାଇଥିଲେ । ବିଶେଷ କରି ତାର୍ଲାକୋଟା ବିଦ୍ୟାଳୟ ଏକ ଉତ୍ସବମୁଖର ହୋଇ ଉଠିଥିଲା । ଏହି ଖବର ପାଇବା ପରେ ବିଦ୍ୟାଳୟ,ପୁରାତନ ଛାତ୍ର, ବିଦ୍ୟାଳୟ କମିଟି ଓ ଅଞ୍ଚଳବାସୀ ସ୍ବାଗତ କରିବା ପାଇଁ ଦଳପତିଗୁଡା ସିଦ୍ଧେଶ୍ୱରପୁର ମନ୍ଦିର ନିକଟରେ ଅପେକ୍ଷା କରିଥିଲେ। ସେଠାରେ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶ୍ରୀ ମଲିକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ବିଦ୍ୟାଳୟକୁ ପାଛୋଟି ନେଇଥିଲେ । ସେଠାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଶିକ୍ଷା ପ୍ରେମୀ ମଣିଶଙ୍କର ମଜୁମଦାର, କୋରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡି, ବିଦ୍ୟାଳୟ କମିଟି ସଭାପତି ସୋମନାଥ ବାର୍ସେ,କୁଡୁମୁଳୁଗୁମ୍ମା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଞ୍ଜନ ଚୌଧୁରୀ, ଜିଲ୍ଲା ପରିଷଦ ସଭ୍ୟ ମଙ୍ଗୁ ଖିଲ, ତାର୍ଲାକୋଟା ସରପଞ୍ଚ ସନାରି ଖିଲ ପ୍ରମୁଖ ଯୋଗ ଦେଇ ଶ୍ରୀ ମଲିକଙ୍କର ବିଦ୍ୟାଳୟ ତଥା ସେ ଅଞ୍ଚଳ ପ୍ରତି ଥିବା ନିଃସ୍ୱାର୍ଥ ତ୍ଯାଗ,ସେବା ମନୋଭାବ,ମଣିଷକୁ ଭଲ ପାଇବା ଗୁଣ ଗାନ କରି ଥିଲେ। ଶ୍ରୀମଲିକଙ୍କୁ ଉପଢୌକନ, ଡାଏରୀ ଓ କଲମ ଉପହାର ଦେଇଥିଲେ।ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସାରଦା ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)