ଦିଗପହଣ୍ଡି,୦୬/୦୪(ପିପିଟି):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଅଧିନ ରାଜପୁର ଗ୍ରାମରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଫେଲ ମାରିଥିବା ଜଣାପଡ଼ିଛି । ଦୀର୍ଘ ୫ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ ବଳି ପଡ଼ୁଛନ୍ତି ସ୍ଥାନୀୟ ଲୋକେ । ପିଇବା ପାଣି ପାଇଁ ଡ଼ହଳବିକଳ ହେଉଛନ୍ତି ଲୋକେ । ପାଇପ ଗୁଡ଼ିକ ଫାଟି ଯାଇଥିବା ଯୋଗୁଁ ଜଳ ଯୋଗାଣ ହୋଇପାରୁନାହିଁ । ସୂଚନା ଅନୁସାରେ ଉକ୍ତ ଗ୍ରାମରେ ପ୍ରାୟ ୧୫୦୦ ଲୋକ ବସବାସ କରନ୍ତି । ଏହି ଗ୍ରାମରେ ପ୍ରାୟ ୬ ଟି ନଳକୂପ ରହିଥିବା ବେଳେ କେବଳ ଗୋଟିଏ ନଳକୂପ ଜଳ ପିଇବା ପାଇଁ ଉପଯୋଗୀ ହେଉଛି । ବହୁ ଅର୍ଥ ବ୍ୟୟ କରି ଏହି ଗ୍ରାମରେ ୫୦ ହଜାର ଲିଟର ବିଶିଷ୍ଟ ଏକ ଓଭରାଲ ପାଣିଟାଙ୍କି ନିର୍ମାଣ ହୋଇଛି । ନିର୍ମାଣ ପରଠାରୁ ଏହି ଜଳପ୍ରକଳ୍ପର ସୁବିଧା ପାଇପାରିନାହାଁନ୍ତି ଗ୍ରାମବାସୀ । କେବଳ ୧୨ ଦିନ ହିଁ ପାଣି ଚାଲିବା ପରେ ଏହା ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ପଡ଼ିଛି ଏହି ଜଳ ପ୍ରକଳ୍ପ । ଗତ ୨ ବର୍ଷ ହେବ ପ୍ରହଲ୍ଲାଦ ପ୍ରଧାନ ଏହି ପ୍ରକଳ୍ପ ଦାୟିତ୍ୱରେ ରହିଛନ୍ତି କିନ୍ତୁ କୌଣସି ପ୍ରାପ୍ୟ ମଧ୍ୟ ପାଇନଥିବା ସେ ପ୍ରକାଶ କରିଛନ୍ତି । ଜନପ୍ରତିନିଧି ଓ ଗ୍ରାମବାସୀ ମାନେ ନେତା ଠାରୁ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ ଜଣାଇଥିଲେ ମଧ୍ୟ ଆଜି ଯାଏଁ କୌଣସି ସୁଫଳ ମିଳିପାରିନାହିଁ । ରାଜ୍ୟ ସରକାର ବସୁଧା ଯୋଜନା କରି ବାହା ବାହା ମାରୁଥିବା ବେଳେ ରାଜପୁର ଗ୍ରାମରେ ଏଭଳି ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଠିକାଦାର ଏବଂ ଯନ୍ତ୍ରୀ ବିଲ ପରେ ବିଲ କରିଚାଲିଛନ୍ତି କିନ୍ତୁ ଲୋକଙ୍କୁ ଆଜିଯାଏଁ ପାଣି ଟିକିଏ ବି ମିଳିଲା ନାହିଁ । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ସମୟରେ ଏଭଳି ପାନୀୟ ଜଳ ସଙ୍କଟ ଦେଖାଦେଲାଣି ଏହି ଗ୍ରାମରେ । ଯଦି ଏହି ପାନୀୟ ଜଳ ସଙ୍କଟ ଗ୍ରାମରେ ଦୂର ନହୁଏ ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ କରିଯିବା ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।
(ରିପୋର୍ଟ- ଆରତ କୁମାର ହୋତା। )