ରଥ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ଗଲା ୧୦ଟି ଫାସୀ କାଠ ।

0 354

ଭଞ୍ଜନଗର,୨୬/୦୪(ପିପିଟି): ପୁରୀ ଠାରେ ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ନିମନ୍ତେ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର କାଳିଅମ୍ବା ସେକ୍ସନ ବଡ଼ ବୋରସିଂ ବିଟ ପୁରୁଣାପଣି ଗ୍ରାମ ନିକଟ ଜଙ୍ଗଲରୁ ୧୦ଟି ଫାସୀ କାଠ ଗଣ୍ଡି ରଥ ନିର୍ମାଣ ସକାଶେ ପଠାଯାଇଛି। ଏହି କାଠ ରଥର ଚକ ଓ ତୁମ୍ବ ନିର୍ମାଣରେ ଲାଗିବ ବୋଲି ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ଗତ ୧୦ତାରିଖ ଦିନ ଏହି ବନଖଣ୍ଡ ବାଇବାଲିରୁ ୨୦ଟି ଢଉରା କାଠ ଗଣ୍ଡି ପୁରୀକୁ ପଠାଯାଇଥିଲା। ଆଜି ସକାଳେ ଗ୍ରାମବାସୀମାନେ ସଂକୀର୍ତ୍ତନ କରି ଆସିବା ପରେ ମହିଳାମାନେ ଉକ୍ତ ଗଛ ମୂଳେ ଗୋବର ପାଣିରେ ଲିପାପୋଛା କରି ଝୋଟି, ଚିତା ଆଙ୍କି ଧୂପ ଦୀପ ଦେଇ ପୂଜା କରିବା ସହ ଫୁଲ, ଚାଉଳ ପକାଇ ବନ୍ଦାପନା କରିଥିଲେ। ଜୟ ଜଗନ୍ନାଥ ଧ୍ୱନିରେ ଉକ୍ତ ସ୍ଥାନଟି ପ୍ରକମ୍ପିତ ହୋଇ ଉଠିଥିଲା। କାଠ ବୋଝେଇ ଟ୍ରକଟିକୁ ପୂଜାର୍ଚ୍ଚନା କରି ଗ୍ରାମବାସୀ ମାନେ ଛାଡିଥିଲେ। ଏହାପରେ ବୁଦୁଲି ଓ ମଳାସ ପଦର ଠାରେ ମଧ୍ୟ ଗ୍ରାମବାସୀ ମାନେ ଗାଡିକୁ ବନ୍ଦାପନା କରିଥିଲେ।ସେଠାରୁ ଉକ୍ତ ଗାଡ଼ି ଭଞ୍ଜନଗର ଦେଇ ଜଗନ୍ନାଥ ପ୍ରସାଦ ରାସ୍ତାରେ ପୁରୀ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି।ଏଥିରେ ଉତ୍ତର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା,କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ଫରେଷ୍ଟର ଶରତ କୁମାର ମହାନ୍ତି, ଫରେଷ୍ଟ ଗାର୍ଡ ସନ୍ତୋଷ ପାତ୍ର, ରଶ୍ମିତା ସେଠୀ,ଅର୍ଚ୍ଚନା ବିଷୋୟୀ, ସମାଜସେବୀ ଶୂଳପାଣି ଶତପଥୀ, ଅନୁପମ ବାନାର୍ଜୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.