ଭଞ୍ଜନଗର,୦୪/୦୩(ପିପିଟି); ନିଜର ତୃତୀୟ ବିବାହ ବାର୍ଷିକୀକୁ ଏକ ନିଆରା ଢ଼ଙ୍ଗରେ ପାଳିଛନ୍ତି ଭଞ୍ଜନଗର ବ୍ଲକର ଜଣେ ଶିକ୍ଷକ । ସୂଚନା ପ୍ରକାରେ ଭଞ୍ଜନଗର ବ୍ଳକ୍ ଢେପସାହି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦାମ ଦଳବରା ୨୦୧୮ ମସିହା ମାର୍ଚ୍ଚ ମାସ ଚାରି ତାରିଖରେ ଗାୟତ୍ରୀଙ୍କୁ ବିବାହ କରିଥିଲେ । ଆଜି ସେମାନଙ୍କ ତୃତୀୟ ବିବାହ ବାର୍ଷିକୀ ଥିବାରୁ ଏହାକୁ ଅଯଥା ଭୋଜିଭାତ ଆଡମ୍ବରରେ ନ ପାଳି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି ପାଳିବାକୁ ନିଷ୍ପତି ନେଇଥିଲେ । ଆଜି ସୁଦାମ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ୍ ର ଓଡ଼ିଶା ରକ୍ତ ଭଣ୍ଡାରକୁ ଯାଇ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ । ରକ୍ତ ସଂଗ୍ରହ କାର୍ଯ୍ୟରେ ସିନିୟର ଟେକ୍ନିସିଆନ ଡକ୍ଟର୍ ସୁରେନ୍ଦ୍ର ମହାପାତ୍ର, ରକ୍ତଭଣ୍ଡାର କର୍ମଚାରୀ ବିପିନ ବିହାରୀ ପାଣିଗ୍ରାହୀ, ସୀମାଞ୍ଚଳ ସେଠୀ ଏବଂ ସହାୟକ କେନ୍ଦ୍ର ପରିଚାଳକ ନାରାୟଣ ବେହେରା ସହଯୋଗ କରିଥିଲେ । ପ୍ରକାଶ ଥାଉକି ସୁଦାମ ମୃତ୍ୟୁ ପରେ ନିଜର କିଡନୀ ଏବଂ ଫୁସଫୁସ୍ ମଧ୍ୟ ଦାନ କରିବାକୁ ଚୁକ୍ତିବଦ୍ଧ ହୋଇସାରିଛନ୍ତି । ସୁଦାମଙ୍କ ଧର୍ମପତ୍ନୀ ଗାୟତ୍ରୀ ଆଗକୁ ଶିକ୍ଷୟିତ୍ରୀ ହେବା ପାଇଁ ତାଲିମ୍ ନେଉଥିବା ବେଳେ ସେ ମଧ୍ୟ ମୃତ୍ୟୁ ପରେ ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହୋଇସାରିଛନ୍ତି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )