ମାଲକାନଗିରି,୨୫/୧୨(ପିପିଟି): ଚିତ୍ରକୋଣ୍ଡା ବ୍ଲକ ସ୍ଵାଭିମାନ ଅଞ୍ଚଳର ଘନବେଡା ଠାରେ ନୂତନ ବିଏସଏଫ୍ କ୍ୟାମ୍ପ୍ ପ୍ରତିଷ୍ଠା ହେବା ପରେ ସୁରକ୍ଷାକର୍ମୀଙ୍କୁ ଗୋଟାଏ ପରେ ଗୋଟାଏ ସଫଳତା ମିଳିଛି । ଆଜି କୁମ୍ବିଂ ଅପରେସନ ସମୟରେ ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ଯ ସହ ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି ଯବାନମାନେ । ଗୁଇନ୍ଦା ସୁତ୍ରରୁ ସୂଚନା ପାଇ ଆନ୍ଧ୍ର ଓଡିଶା ସୀମାନ୍ତ ଅଞ୍ଚଳରେ ବିଏସଏଫ, ଡି.ଭି.ଏଫ ଓ ଏସଓଜି ବାହିନୀର ଯବାନମାନେ ମିଳିତ ଭାବେ କୁମ୍ବିଂ କରୁଥିବା ବେଳେ ମାରିବେଡା ଗ୍ରାମ ନିକଟରେ ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି । ସେଗୁଡିକ ହେଲା ଗୋଟିଏ ଗ୍ରେନେଡ୍, ୬ଟି ଡିଟୋନେଟର୍,୩ଟି ଆମୁନେସନ୍ କଣ୍ଟେନର, ୬୫ଟି ଆମୁନେସନ ଚାର୍ଜିଂ କ୍ଲିପ୍,ଗୋଟିଏ ଜେନେରେଟର,କୋଡେକ୍ସ କେବୁଲ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲପନ୍ଥୀମାନେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଏଠାରେ ରଖିଥିବା ମାଲକାନଗିରି ଏସ.ଡି.ପିଓ କହିଛନ୍ତି । ଆଗାମୀ ଦିନରେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିବ ବୋଲି ସୂଚନା ପୋଲିସ କହିଛି
।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)