ମାଲକାନଗିରି,୧୪/୦୭(ପିପିଟି): ଗୋଦାବରୀ ନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏବେ ଓଡ଼ିଶା ପ୍ରତି ବିପଦ ବଢୁଛି । ଆନ୍ଧ୍ରର ବହୁ ଅଞ୍ଚଳ ପାଣିରେ ବୁଡ଼ି ସାରିଥିବା ବେଳେ ଏଭଳି ବର୍ଷା ଲାଗି ରହିଲେ ଅତିଶୀଘ୍ର ଓଡ଼ିଶାର ସୀମାନ୍ତ ଅଞ୍ଚଳ ମୋଟୁ ବୁଡ଼ିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ୩ ଦିନ ହେଲା ଆନ୍ଧ୍ରକୁ ଯାତାୟାତ ଠପ୍ ହୋଇ ପଡିଛି। ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାରୁ ଆନ୍ଧ୍ରକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଓଡ଼ିଶାର ମୋଟୁ ଓ ଆନ୍ଧ୍ର ପ୍ରଦେଶର ଚିନ୍ତୁର ରାସ୍ତା ମଧ୍ୟରେ ଥିବା କୁଇଗୁର ପୋଲ ଉପରେ ଆଜି ବି ୭ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ପୋଲାଭରମ ପ୍ରକଳ୍ପର ଉଚ୍ଚତାକୁ ନେଇ ଓଡ଼ିଶା ବାରମ୍ବାର ବିରୋଧ କରି ଆସୁଥିଲା । କିନ୍ତୁ ଆନ୍ଧ୍ର ସରକାର ଅଣଦେଖା କରି ଚାଲିବାରୁ ଆଗକୁ ଏହାର ପରିଣାମ ମାଲକାନଗିରି ଜିଲ୍ଲା ଭୋଗିବାକୁ ଯାଉଛି । ଗୋଦାବରୀ ନଦୀରେ ବନ୍ୟାଜଳ ପଶିବାରୁ ଅସ୍ବାଭାବିକ ଭାବେ ନଦୀର ଜଳ ସ୍ତର ବୃଦ୍ଧିପାଇବାରୁ ଆନ୍ଧ୍ର ସରକାର ପୋଲଭରମ ପ୍ରକଳ୍ପର ଗେଟ୍ ଖୋଲିବାକୁ ବାଧ୍ୟ ହୋଇଥିଲେ । ତଥାପି ଠିକ୍ ରୂପେ ଜଳ ନିଷ୍କାସନ ହୋଇପାରୁନି । ଯାହାଫଳରେ ପୋଲଭରମ ପ୍ରକଳ୍ପ ନିକଟସ୍ଥ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପୋଲାଭରମର ପଛୁଆ ପାଣି ଆନ୍ଧ୍ରର ଅନେକ ଅଞ୍ଚଳକୁ ବୁଡ଼ାଇଥିବା ଦେଖିବାକୁ ମିଳିଛି । ଭଦ୍ରାଞ୍ଚଳମ, ପୋଲାଭରମ, ଭିଆରପୁରମ, ବୁର୍ଗୁମୁପାଡ଼ୁ, ଦୁମୁଗୁଡ଼ମ, ଏଟାପାକା, ଚିନ୍ତୁର ଅଞ୍ଚଳର ଅଧିକାଂଶ ଗ୍ରାମ ଏବେ ପାଣି ଘେରରେ ରହିଥିବା ଜଣାପଡ଼ିଛି । ଏମିତି ସ୍ଥିତିରେ ଆନ୍ଧ୍ର ସରକାର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ଆରମ୍ଭ କରିଛି । ବହୁ ଗାଁ ଖାଲି ହୋଇସାରିଲାଣି । ଯଦି ଆହୁରି କିଛି ଘଣ୍ଟା ଲଗାଣ ବର୍ଷା ହେବ ତେବେ ଓଡ଼ିଶାର ମୋଟୁ ଅଞ୍ଚଳ ମଧ୍ୟ ସଂପୂର୍ଣ୍ଣ ବୁଡ଼ି ଯିବ ବୋଲି କୁହାଯାଉଛି। କାରଣ ମୋଟୁର ଗୋଟିଏ ପାର୍ଶ୍ବରେ ସିଲେରୁ ଓ ଅନ୍ୟ ପାର୍ଶ୍ଵରେ ସାବେରୀ ନଦୀ ପ୍ରବାହିତ ହେଉଛି । ଉଭୟ ନଦୀର ପାଣି ଚିନାଗୋଦାବରୀ ନଦୀରେ ପଶୁଛି । ଚିନାଗୋଦାବରୀ ନଦୀର ପାଣି ସିଧାସଳଖ ଗୋଦାବରୀ ନଦୀରେ ମିଶୁଛି । ଗୋଦାବରୀ ନଦୀରେ ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ କରିଥିବାରୁ ଏହାର ପ୍ରଭାବ ପଡ଼ିବ ବୋଲି ବିଶେଷଜ୍ଞ କହିଛନ୍ତି । ଯାହାର ପ୍ରମାଣ ବି ଗତବର୍ଷ ଦେଖିବାକୁ ମିଳିଥିଲା । ପୋଲାଭରମ ପ୍ରକଳ୍ପରେ ଜଳ ନିଷ୍କାସନ ଠିକ୍ ରୂପେ ନ ହେଲେ ସିଲେରୁ ଓ ସାବେରୀ ନଦୀରେ ପଶୁଥିବା ବନ୍ୟାଜଳ ନିଷ୍କାସନ ନ ହୋଇ ମୋଟୁ ଅଞ୍ଚଳକୁ ବୁଡ଼ାଇବ। ବର୍ତ୍ତମାନ ମୋଟୁରେ ବନ୍ଯା ପରିସ୍ଥିତି ସୃଷ୍ଟି ହୋଇସାରିଥିବା ଦେଖିବାକୁ ମିଳିଛି । ଉପର ମୁଣ୍ଡରେ ବର୍ଷା ଲାଗି ରହିଲେ ଆଗାମୀ କିଛି ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାର ମୋଟୁରେ ବଡ଼ଧରଣର ବନ୍ୟା ହେବାର ସମ୍ଭାବନା ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତିର ସମୀକ୍ଷା କରି ସତର୍କ ନଜର ରଖିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)