ଭଞ୍ଜନଗର,୧୧/୦୨(ପିପିଟି): ଭଞ୍ଜନଗର ସହର ଉପକଣ୍ଠ ଲଣ୍ଡେଇ ସାହି ୟୁନିଟ-୪ରେ ରହୁଥିବା ବିଶିଷ୍ଟ ସମାଜସେବୀ ନବୀନ ଚନ୍ଦ୍ର ସାହୁଙ୍କର ଗତକାଲି ରାତି ୧୦ଟା ୪୦ମିନିଟ ସମୟରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ଠାରେ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୬୯ବର୍ଷ ବୟସ ହୋଇଥିଲା।ଯକୃତ ଜନିତ ସମସ୍ୟା ଲାଗି ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ସେ ଗତ ୪ଦିନ ହେଲା ଆଇସିୟୁରେ ଚିକିତ୍ସିତ ହେଉଥିଲେ। ସ୍ବର୍ଗତ ସାହୁଙ୍କ ଚୁକ୍ତି ଅନୁସାରେ ମୃତ୍ୟୁ ପରେ ତାଙ୍କର ଚକ୍ଷୁ ଓ ଶରୀର ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଦାନ କରିଛନ୍ତି ପରିବାର ଲୋକେ।ସ୍ବର୍ଗତ ସାହୁ ପ୍ରଧାନ ଶିକ୍ଷକ ତଥା ବ୍ଲକ ସିଆରସିସି ଭାବେ ଗତ ୩୦ଜୁନ ୨୦୧୨ ମସିହାରେ ଅବସର ଗ୍ରହଣ କରିଥିଲେ। ଏହାପରେ ଆଧ୍ୟାତ୍ମିକ ଚିନ୍ତାଧାରା ଓ ଭାଗବତ ପ୍ରେମୀ ହିସାବରେ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଉପସ୍ଥିତ ରହି ସେବା କରି ଆସୁଥିଲେ।ସେ ସ୍ଥାନୀୟ ରଘୁବୀର ସାଂସ୍କୃତିକ ପରିଷଦର ଜଣେ ସକ୍ରିୟ ସଦସ୍ୟ ଭାବେ ଲଣ୍ଡେଇ ସାହି ଶ୍ରୀରାମ ମନ୍ଦିର ନିର୍ମାଣ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସର୍ବଦା ପ୍ରଶଂସନୀୟ କାର୍ଯ୍ୟ ଓ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ସ୍ବର୍ଗତ ସାହୁ ଗତ ୨୦୧୧ ମସିହାରେ ସ୍ୱଇଛାରେ ମୃତ୍ୟୁ ପରେ ନିଜ ଚକ୍ଷୁ ଦାନ କରିବା ସହ ଗତ ବର୍ଷ ଆଜାଦ ହିନ୍ଦ ଫୌଜ ସଂସ୍ଥା ଦ୍ୱାରା ଅନୁପ୍ରାଣିତ ହୋଇ ସ୍ବର୍ଗତ ସାହୁ ସ୍ଥାନୀୟ କିଛି ଶିକ୍ଷକ ସହକର୍ମୀ ମିଳିତ ଭାବେ ସମ୍ପୂର୍ଣ୍ଣ ଶରୀରକୁ ବଡ଼ି ଏଣ୍ଡ ଅର୍ଗାନ ଡୋନେସନ ସୋସାଇଟି ଅଫ ଇଣ୍ଡିଆ କୁ ଦାନ କରିବା ପାଇଁ ଚୁକ୍ତି କରିଥିଲେ। ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ ଗବେଷଣା ନିମନ୍ତେ ତାଙ୍କ ଶରୀରକୁ ବ୍ୟବହାର କରିବା ପାଇଁ ସେ ଏଭଳି ସ୍ମରଣୀୟ ପଦକ୍ଷେପ ଗ୍ରହଣ କରିଥିବା ତାଙ୍କ ପୁଅ କହିଛନ୍ତି। ଯାହାକି ଆଜିର ସମାଜରେ ଏକ ବିରଳ ଉଦାହରଣ। ଆଜି ଦିନ ୧୦ଟା ସମୟରେ ସାମାଜିକ ରୀତି ନୀତି ଅନୁସାରେ କାର୍ଯ୍ୟ ଶେଷ ହେବା ପରେ ପରିବାର ଲୋକେ ମରଶରୀରକୁ ଏମକେସିଜି ମେଡ଼ିକାଲକୁ ହସ୍ତାନ୍ତର କରିଥିଲେ।ଶେଷ ସମୟରେ ସ୍ବର୍ଗତ ସାହୁଙ୍କ ପତ୍ନୀ,ଭାଇ,ଭାଉଜ,ପୁଅ,ବୋହୂ, ନାତି ନାତୁଣୀ ଓ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ। ଶ୍ରୀ ସାହୁଙ୍କ ବିୟୋଗରେ ଭଞ୍ଜନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।