ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗୀର ଗସ୍ତ, ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ ,ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର କରିଛନ୍ତି।
ଭୁବନେଶ୍ବର,୨୨/୦୯; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜିଲ୍ଲାର ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗୀର ଟାଉନ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।
ଟିଟିଲାଗଡରେ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ସରୋଜିନୀ ବହିଦାରଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲ୍ଲାର ସାଢେ ଚାରି ଲକ୍ଷ ପରିବାର ଏହି ସୁବିଧା ପାଇବେ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ୫୯୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ।
ମୁଖ୍ୟମନ୍ତ୍ରୀ ପ୍ରଥମେ ଟିଟିଲାଗଡ ଗସ୍ତ କରି ସେଠାରେ ଅନେକ ନୂଆ ପ୍ରକଳ୍ପ ଆରମ୍ଭ କରିଥିଲେ। ଟିଟିଲାଗଡ-ସଇଁତଳା ବ୍ଲକ୍ରେ ସଂପୂର୍ଣ୍ଣ ହୋଇଥିବା ପାଇପ ପାଣି ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ଟିଟିଲାଗଡ ଟାଉନ୍କୁ ସବୁ ଘରକୁ ପାଇପ ପାଣି ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଥିଲେ।
ପାଟଣାଗଡରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପ ମଧ୍ୟରେ ପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହରିଶଙ୍କର ପୀଠ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ତୀର୍ଥକ୍ଷେତ୍ର ହେବା ସହିତ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ।
ଶେଷରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସେଠାରେ ମଧ୍ୟ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ସନ୍ଥ ଭୀମଭୋଇ ମେଡିକାଲ କଲେଜ ପରେ ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟ ହେଉଛି ଜିଲ୍ଲାର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ। ଏହାକୁ ଏକ ଆଦର୍ଶ ବିଶ୍ବବିଦ୍ୟାଳୟ ରୂପେ ଗଢିତୋଳିବା ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।