ମାଲକାନଗିରି,୧୪/୦୪(ପିପିଟି): ମୁଖ୍ୟ ଶାସନ ସଚିବଙ୍କର ମାଲକାନଗିରି ଜିଲ୍ଲା ଉନ୍ନୟନ ସମୀକ୍ଷା କରିଛନ୍ତି। ସ୍ୱାଭିମାନ ଅଞ୍ଚଳ ସ୍ୱତନ୍ତ୍ର ପ୍ୟାକେଜ ତ୍ୱରିତ କାର୍ଯ୍ୟାନ୍ୱୟନକୁ ଉପରେ ଗୁରୁତ୍ୱ । ଖୁବ ଶୀଘ୍ର ଆରମ୍ଭ ହେବ ମାଲକାନଗିରି ଏୟାର ପୋର୍ଟର କ୍ଷେତ୍ରସ୍ତରୀୟ କାର୍ଯ୍ୟ । ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୂର୍ବାହ୍ନରେ ଜିଲ୍ଲାରେ ପହଞ୍ଚିବା ପରେ ପରେ ଶ୍ରୀ ମହାପାତ୍ର ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଗୃହରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ୱାନୀ, ପ୍ରକଳ୍ପ ନିର୍ଦ୍ଦଶକ ବାଳ ମୁକୁନ୍ଦ ଭୂୟାଁ, ବନଖଣ୍ଡ ଅଧିକାରୀ ପ୍ରତାପ କଟାପାଲ୍ଲୀ ଏବଂ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟଗୁଡିକର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ବୈଠକରେ ମୁଖ୍ୟତଃ ରାସ୍ତାଘାଟ ଓ ପୋଲ ନିର୍ମାଣ, ଗମନାଗମନର ସୁବିଧା,ବିଦ୍ୟୁତ ଯୋଗାଣ,ପାନୀୟ ଜଳ ଯୋଗାଣ, ଉଦ୍ୟାନ, କୃଷି, ମତ୍ସ୍ୟଚାଷ, ଜଳସେଚନ ଓ ବିବିଧ ଶସ୍ୟ ଉଦ୍ୟାନ ଆଦି ବିଷୟରେ ସବିଶେଷ ସମୀକ୍ଷା ହୋଇଥିଲା ।
ସେବା ମନୋବୃତ୍ତି ନେଇ ଜିଲ୍ଲାର ସମସ୍ତ ଲୋକାଭିମୁଖି କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବୈଠକରେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କାମ ଆରମ୍ଭ କରାଯାଇଥିବା ରାସ୍ତାଗୁଡିକୁ ମୌସୁମୀ ଆସିବା ପୂର୍ବରୁ ଯାତାୟାତ ଯୋଗ୍ୟ କରିବା ସହ ଅଣ ସଂଯୋଗୀକୃତ ଜନ ବସତିକୁ ରାସ୍ତା ନିର୍ମାଣ ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଉପଯୋଗୀ ବିଭିନ୍ନ ପ୍ରକାରର ଜିବୀକା ନିର୍ବାହ ପନ୍ଥା ଗୁଡିକୁ ଶୀଘ୍ର କାର୍ଯ୍ୟକାରୀ ଲୋକମାନଙ୍କ ନିମନ୍ତେ ବର୍ଷ ତମାମ ଆୟର ସୁଯୋଗ ସୃଷ୍ଟି ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ବୈଠକ ପରେ ପରେ ସାମ୍ବାଦିକମାନଙ୍କର ପ୍ରଶ୍ନ ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ସ୍ୱାଭିମାନ ଅଞ୍ଚଳ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଯୋଜନା ଗୁଡିକୁ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । ଏସବୁ ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ପାଇଁ କ୍ଷେତ୍ର ସ୍ତରୀୟ ସ୍ଥିତି ଅନୁସାରେ ସମୟ ସାରଣୀ ନିର୍ଦ୍ଧାରଣ କରାଯାଇଛି । ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥଲେ ଯେ ସମଗ୍ର ଜିଲ୍ଲା ପାଇଁ ପରିପୃକ୍ତି ଭିତ୍ତିରେ ଜଳ ଯୋଗାଣ ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି । ଇତି ମଧ୍ୟରେ ବାଲିମେଳା ସହରାଞ୍ଚଳର ଶତ ପ୍ରତିଶତ ଗୃହକୁ ପାଇପ ମାଧ୍ୟମରେ ଜଳ ଯୋଗାଣ କରାଯାଉଛି । ମାଲକାନଗିରି ସହରାଞ୍ଚଳର ସମସ୍ତ ଗୃହକୁ ଖୁବ ଶୀଘ୍ର ଜଳ ଯୋଗାଣ ପାଇପ୍ ସଂଯୋଗ ଦିଆଯିବ ।
ମାଲକାନଗିରି ବିମାନ ବନ୍ଦର ସମ୍ବନ୍ଧରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର କହୁଥିଲେ ଯେ ଇତି ମଧ୍ୟରେ ବିମାନ ବନ୍ଦର ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟ ସରିଛି ଜଙ୍ଗଳ ଜମି କିସମ ପରିବର୍ତ୍ତନ ପାଇଁ ଅନୁମତି ମିଳି ସାରିଛି । ବିମାନ ବନ୍ଦର ଜମିର ଚତୁପାର୍ଶ୍ୱ ଆବଦ୍ଧ କରାଯାଇଛି । ବିମାନ କାର୍ଯ୍ୟ ନିମନ୍ତେ ଟେଣ୍ଡର ଆହ୍ୱାନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ଏବଂ ଖୁବ ଶୀଘ୍ର କ୍ଷେତ୍ର ସ୍ତରୀୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୨୦୨୪ ମସିହା ପ୍ରଥମ ଭାଗରେ ଏହି ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରାଯିବ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)