ମିଟୁ ଘଡେଇଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ୫ଜଣ ଗିରଫ ।

0 259

ବ୍ରହ୍ମପୁର,୨୪/୦୮(ପିପିଟି):ଗୋଲାପଲ୍ଲୀ ସାହିର ଯୁବକ ମିଟୁ ଘଡେଇଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୈଦ୍ୟନାଥପୁର ଥାନା ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଗୋଲାପଲ୍ଲୀ ସାହିର ସୁଲତାନ ବେହେରା, ଛୋଟୁ ବେହେରା, ମଣ୍ଟୁ ବେହେରା, ରାଜଗୁରୁ ମାଦେଇ ଓ ଚିନ୍ତାମଣି ନାୟକ । ମିଟୁ ଏବଂ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅନେକ ଦିନ ହେବ ଶତ୍ରୁତା ରହିଥିଲା ବୋଲି ଶୁଣିବାକୁ ମିଳୁଛି । ପୁଲିସ ଅଭିଯୁକ୍ତଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରିଛି । ସୂଚନାପ୍ରକାରେ, ପାଏଲ ହଲ ସମ୍ମୁଖ ବୈକୁଣ୍ଠନଗର ଛକରେ ଦୀର୍ଘ ଦିନ ହେବ ଚିକେନ ଦୋକାନ ଦେଇଥିବା ମିଟୁ ଘଡେଇ ଏକାଧିକ ବ୍ୟବସାୟରେ ସଂପୃକ୍ତ ରହିଥିଲେ । ଯାହାକୁ ନେଇ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀ ତାଙ୍କ ପ୍ରତି ଶତ୍ରୁତା ଆଚରଣ କରି ଆସୁଥିଲେ । ଏପରିକି ପୂର୍ବରୁ ମଧ୍ୟ ମିଟୁ ଓ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଆଜିକୁ ୨ ଦିନ ତଳେ ମିଟୁ ବ୍ରହ୍ମାନଗର ଗଳି ଦେଇ ଯାଉଥିବା ବେଳେ ଉପରୋକ୍ତ ୫ ଅଭିଯୁକ୍ତ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ ଆରମ୍ଭ କରି ଦେଇଥିଲେ । କାତି ଓ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ ଯୋଗୁ ମିଟୁଙ୍କ ଗୋଡ ଓ ହାତ ଭାଙ୍ଗିବା ସହ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ମିଟୁଙ୍କୁ ପ୍ରଥମେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣାସ୍ଥିତ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆକମଣ ଘଟଣାକୁ ନେଇ ମିଟୁଙ୍କ ମାଆ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଉପରୋକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.