ବ୍ରହ୍ମପୁର,୧୫/୧୦(ପିପିଟି):ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀରେ ଠାରେ ପାରିବାରିକ କହଳରୁ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ନିଜ ବିଧବା ଭାଉଜକୁ ପ୍ରେମ କରିବା ଦିଅରକୁ ମହଙ୍ଗା ପଡ଼ିଛି । ଭାଉଜ ଦିଅର ମଧ୍ୟରେ ଝଗଡ଼ା ହୋଇ ଦିଅରଙ୍କ ମୃତ ହୋଇଯାଇଛି । ମୃତକ ଜଣକ ହେଲେ ପ୍ରଦୀପ ନାୟକ ଓରଫ୍ ପରି ନାୟକ। ଖବରପାଇ ଗୋପାଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି । ସୂଚନାପ୍ରକାରେ ପ୍ରଦୀପ ଭାଇଙ୍କ ଆଜିକୁ ୫ ବର୍ଷ ତଳେ ମୃତ୍ୟୁ ହୋଇଯିବ ପରେ ତାଙ୍କ ଭାଉଜ କାମିନୀ ନାୟକ ବିଧବା ହୋଇ ଯାଇଥିଲେ । ସେହିପରି ଏହାର ବର୍ଷକ ପରେ ପ୍ରଦୀପଙ୍କ ସ୍ତ୍ରୀର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ଏଭଳି ସ୍ଥିତିରେ ଉଭୟ ଭାଉଜ ଓ ଦିଅର ନିଜ ସ୍ବାମୀ ଓ ସ୍ତ୍ରୀକୁ ହରାଇ ଏକୁଟିଆ ଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏପରିକି ଉଭୟେ ବିବାହ କରିବାକୁ ସ୍ଥିର କରିଥିଲେ । ଏ ନେଇ ଗ୍ରାମ କମିଟିରେ ନିଷ୍ପତ୍ତି ମଧ୍ୟ ହୋଇଥିଲା । ହେଲେ କିଛି ମାସ ତଳେ କାମିନୀ କୌଣସି କାରଣ ଯୋଗୁଁ ଦିଅର ପ୍ରଦୀପକୁ ବିବାହ କରିବେ ନାହିଁ ବୋଲି ମନା କରିଦେଇଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଛୋଟମୋଟ ଝଗଡ଼ା ହେଉଥିଲା । ପ୍ରତିଦିନ ଭଳି ଗତକାଲି ମଧ୍ୟ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ଆଜି ସକାଳୁ ପ୍ରଦୀପଙ୍କ ମୃତ ଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି । ପ୍ରଦୀପଙ୍କ ପାଟିରୁ ଫେଣ ବାହାରି ଥିବା ବେଳେ କାନରୁ ରକ୍ତ ବାହାରିଥିବା ଦେଖିବାକୁ ମିଳିଛି । କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ ବୋଲି ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ କହିଛନ୍ତି। ପୁଲିସ ଭାଉଜ କାମିନୀଙ୍କୁ ଥାନାରେ ଅଟକ ରଖି ପଚରାଉଚାର ଜାରି ରଖିଛି ।
(ରିପୋର୍ଟ- ଆରତ କୁମାର ହୋତା। )