ମାଲକାନଗିରି ,୦୪/୦୬(ପିପିଟି): ଆଜି ମାଲକାନଗିରି ଜିଲ୍ଲା ସଦର ମହାକୁମା ଠାରେ ମାଲ୍ୟବନ୍ତ ଆର୍ଟ ଆସୋସିଏସନ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଦେଷ୍ଟା କେ. ଦେଶୀରାଜୁ ଅଚାରୀ କଳାକାରମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତ ବ୍ଲକରେ ସଂଗଠନକୁ ଗଠନ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନଙ୍କ ମତାମତ ନେଇ ସଭାର ତାରିଖ ଗୁଡାକ ଧାର୍ଯ୍ୟ କରାଯାଇଥିଲା । ଯେଉଁ କଳାକାରମାନେ ପଞ୍ଜିକୃତ ନ କରି କାମ କରୁଛନ୍ତି ସେମାଙ୍କୁ ଆଜି ଠାରୁ ଗୋଟିଏ ମାସ ସମୟ ଦିଆଯାଇଛି । ମାସ ଭିତରେ ଯେଉଁ କଳାକାର ବିନା ସଙ୍ଘର ପଞ୍ଜିକରଣ ନ କରି କାମ କଲେ ତାର କାମ ବନ୍ଦ କରି ତା ପ୍ରତି ସଂଗଠନ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ।ଏବଂ ଜିଲ୍ଲାରେ ସରକାରୀ ବିଭାଗୀୟ ପେଣ୍ଟିଙ୍ଗ କାମରେ ଯେଉଁ ଅଧିକାରୀ କାମ କଲା ପରେ ଟଙ୍କା ନ ଦେଇ ହଇରାଣ କରୁଛନ୍ତି ସେମାନଙ୍କ ନାମରେ ଜିଲ୍ଲାପାଳଙ୍କୁ ନିକଟରେ ଅଭିଯୋଗ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ମାଲ୍ୟବନ୍ତ ଆର୍ଟ ଆସୋସିଏସନ ର ନୂତନ କର୍ମକର୍ତ୍ତା ମଧ୍ୟ ଚୟନ କରାଯାଇ ଥିଲା । ସଭାପତି ଭାବେ ସମୀର ବୈରାଗୀ,ଉପ ସଭାପତି ଅଶୋକ ବିଶ୍ୱାସ, ସମ୍ପାଦକ ସୁକୁମାର ମଣ୍ଡଳ, ସାଧାରଣ ସମ୍ପାଦକ ଗୁରୁ ବଟେ, କୋଷାଧ୍ଯକ୍ଷ ବନମାଳୀ ପାତ୍ର ଓ ସଂଯୋଜକ ଭାବେ ଜଣ୍ଟୁ କୁମାରକୁ ଚୟନ କରାଯାଇଅଛି ।
ଆଗାମୀ ଦିନରେ ସମସ୍ତ ବ୍ଲକ ସଂଗଠନ ଗଠନ କରାଯାଇ ମାଲକାନଗିରି ଜିଲ୍ଲାର କଳାକାରଙ୍କୁ ସରକାରୀ କାମରେ ନିୟୋଜିତ କରିବାକୁ ସମସ୍ତ ପଦାଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବ । ସଭା ଶେଷରେ ମହେଶ୍ୱର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)