ମାଲକାନଗିରି,୧୧/୦୮(ପିପିଟି):
ମାଲକାନଗିରି ସଦରମହକୁମା ସ୍ଥିତ ଡିଏନକେ ଠାରେ ଥିବା ସବ୍ ପୋଷ୍ଟ ଅଫିସରେ ଉପଲବ୍ଧ ନାହିଁ ତ୍ରିରଙ୍ଗା ପତାକା । ଅଫିସ୍ ସମ୍ମୁଖରେ କିନ୍ତୁ ଟଙ୍ଗା ଯାଇଛି ଏକ ବ୍ଯାନର, ଯେଉଁ ଥିରେ ଲେଖା ଯାଇଛି- “ସିଲେବ୍ରେଟ ହର ଘର ତିରଙ୍ଗା” । କିନ୍ତୁ ତ୍ରିରଙ୍ଗା ପତାକା ଉପଲବ୍ଧ ନଥିବାରୁ ସଚେତନଶୀଳ ନାଗରିକମାନ ତ୍ରିରଙ୍ଗା ପତାକା କ୍ରୟ ନକରିପାରି ସେଠାରୁ ନୈରାଶ୍ଯରେ ଫେରୁଥିବା ଜଣା ପଡିଛି । ପୋଷ୍ଟ ମାଷ୍ଟର ମ୍ଯାଡମ କହିଲେ,ଆସିଲେ ଦିଆଯିବ । ତେବେ କେବେ ଆସିବ,କେବେ ଦିଆ ଯିବ ଠିକ୍ ଠିକଣା ନାହିଁ । ଏଣେ ପ୍ରଧାନ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ପ୍ରତ୍ଯେକ ଘରେ ଘରେ ୭୫ ତମ ସ୍ବାଧୀନତା ଦିବସ ବା ଆଜାଦି କା ଅମତ ମହୋତ୍ସବ ପାଳନ କରାଯିବ । ତ୍ରିରଙ୍ଗା ପତାକାଟିର ପ୍ରସ୍ଥ ୨୦ ଇଞ୍ଚ ଏବଂ ଦୈର୍ଘ୍ଯ ୩୦ ଇଞ୍ଚରେ ନିର୍ମିତ ହୋଇଥିବା ଏହି ଜାତୀୟ ପତାକା ୨୫ ଟଙ୍କାରେ ମିଳିବ ନିକଟସ୍ଥ ପୋଷ୍ଟ ଅଫିସରେ । ଯଦି ସଦର ମହକୁମା ଡାକ ଘରେ ତ୍ରିରଙ୍ଗା ପତାକା ଉପଲବ୍ଧ ନାହିଁ, ତେବେ ମାଲକାନଗିରି ଜିଲ୍ଲାର ଅନ୍ଯାନ୍ଯ ଗ୍ରାମାଞ୍ଚଳର ଡାକ ଘରେ ତ୍ରିରଙ୍ଗା ପତାକା ମିଳୁଥିବ କି ନାହିଁ
ସନ୍ଦେହ । ଅନ୍ଯପକ୍ଷରେ ଡାକ ଘରେ ତ୍ରିରଙ୍ଗା ପତାକା ବିକ୍ରୟ କରାଯାଉଛି ବୋଲି କୌଣସି ନାଗରିକଙ୍କୁ ସଚେତନ କରାଯାଉ ନାହିଁ । ଏଥି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ତତ୍ପରତା ପ୍ରକାଶ ପାଉ ନଥିବା ଜଣା ପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)