ମାଲକାନଗିରି ପୋଲିସ କରୁଛି ଗଞ୍ଜେଇ ଚାଲାଣ ।

0 299

ମାଲକାନଗିରି,ତା:୨୬/୦୨(ପିପିଟି);ମାଲକାନଗିରି ପୋଲିସ କରୁଛି ଗଞ୍ଜେଇ ଚାଲାଣ । ଗାଡି ଉପରେ ବୋଇତାଳୁ ଏବଂ କଷି ପଣସ ଭର୍ତ୍ତି କରି ଭିତରେ ଗଞ୍ଜେଇ ନେଇ ଅଭିନବ ଉପାୟରେ ଚୋରା ଚାଲାଣ ହେଉଥିବା ବେଳେ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ମାଲକାନଗିରି ଅବକାରୀ ବିଭାଗ ଗଂଜେଇ ଜବତ କରିବା ସହ କିପରି ପୋଲିସ ଗଂଜେଇ ବେପାରରେ ସାମିଲ ରହିଛି, ତାହାର ମଧ୍ୟ ପର୍ଦାଫାସ କରିଛି। ଖାକି ପୋଷାକରେ ଲାଗିଛି କଳଙ୍କର ଦାଗ। ଗଂଜେଇ ଚାଲାଣ କରୁଥିବା ଜଣେ ପୋଲିସ କନେଷ୍ଟବଲକୁ ଗିରଫ କରିଛି ଅବକାରୀ କର୍ମଚାରୀମାନେ। ମାଲକାନଗିରି ଅବକାରୀ ବିଭାଗ ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଥିଲା ଯେ ଚିତ୍ରକୋଣ୍ଡା ଅଂଚଳରୁ ଏକ ପିକ୍ଅପ୍‌ ଭ୍ୟାନ୍‌ରେ ଗଂଜେଇ ଚୋରା ଚାଲା ହେଉଛି। ଫଳରେ ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ବରେ କର୍ମଚାରୀମାନେ ତିନି ଗୋଟି ଦଳରେ ବିଭକ୍ତ ହୋଇ ତିନିଗୋଟି ରାସ୍ତାରେ ଛକି ରହିଲେ। ବାଲିମେଳା-ମାଲକାନଗିରି ରାସ୍ତାରେ ଏକ ପିକ୍ଅପ୍‌ ଭ୍ୟାନ୍‌ ଦ୍ରୁତ ଗତିରେ ଆସୁଥିବା ଅବକାରୀ ଅଧିକ୍ଷକ ଶ୍ରୀ ସେଠ ଦେଖିବାକୁ ପାଇଥିଲେ। ପିକ୍ଅପ୍‌ ଭ୍ୟାନ୍‌କୁ ଅଟକାଇବାରୁ ଏହା ଅବକାରୀ ଅଧିକ୍ଷକଙ୍କ ଗାଡିକୁ ଧକ୍କା ଦେଇ ମାଲକାନଗିରି ପଟେ ଯାଉଥିଲା ତେବେ କୋରୁକୋଣ୍ଡା ନିକଟରେ ପିକ୍ଅପ୍‌ ଭ୍ୟାନ୍‌ଟିକୁ ଅବକାରୀ କର୍ମଚାରୀମାନେ ଧରିବାରେ ସଫଳ ହୋଇଥିଲେ। ଭ୍ୟାନକୁ ଯାଞ୍ଚ କଲାବେଳେ ସେଥିରେ ପଣସ ଓ ବୋଇତାଳୁ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା। ଉପରେ ଲଦା ଯାଇଥିବା ପଣସ ଓ ବୋଇତାଳୁ ବାହାର କରିବା ପରେ ଗାଡି ଭିତରୁ ୩୧ଟି ଗଂଜେଇ ଭର୍ତ୍ତି ବସ୍ତା ମିଳିଥିଲା, ଯାହାକୁ ଓଜନ କରିବା ପରେ ଜଣାପଡିଥିଲା ଯେ ସେଥିରେ ୮ କ୍ବିଣ୍ଟାଲ ଗଂଜେଇ ରହିଛି।ଗଂଜେଇ ଚାଲାଣ କରୁଥିବା ବ୍ଯକ୍ତି ଜଣକ ହେଲା ପୋଲିସ କନେଷ୍ଟବଲ ସଂଜୀବ ହିରା। ଆସାମୀ ସଂଜୀବର ନିଜ ଗ୍ରାମ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୭ ରେ ବୋଲି ଜଣା ପଡିଛି। ସଂଜୀବ ପୂର୍ବରୁ ମଧ୍ୟ ବହୁ ଥର ଗଂଜେଇ ମାଲକାନଗିରିରୁ ବାହାର ରାଜ୍ୟକୁ ଗଂଜେଇ ଚାଲାଣ କରି ସଫଳ ହୋଇଛନ୍ତି। ଜବତ ହୋଇଥିବା ଗଂଜେଇର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ କହିଛି।ମାଲକାନଗିରି ଜିଲ୍ଲାରୁ ଗଂଜେଇ ପାର ହୋଇ ଅନ୍ୟ ଜିଲ୍ଲାରେ ଗଂଜେଇ ଧରା ପଡୁଥିବା ବେଳେ ଏଥିରେ ପୋଲିସ ବିଭାଗର ସଂପୂର୍ଣ୍ଣ ହାତ ରହିଥିବା ଏଥିରୁ ଅନୁମାନ କରାଯାଏ। ଗଂଜେଇ ଲଦି ପୁଲିସ ଗାଡି ଚଳାଉଥିଲେ କେହି ସଂଦେହ କରିବେ ନାହିଁ ଭାବି ଏହି ପୁଲିସ କନେଷ୍ଟବଲ ଜଣକ ଏଭଳି ବହୁ ବାର ଗଂଜେଇକୁ ଚାଲାଣ କରିବାରେ ସଫଳ ହୋଇଛି। ଏଥିରେ ଆହୁରି ତିନି ଜଣ ସଂପୃକ୍ତ ଥିବା ଜଣାପଡିଛି। ମାଲକାନଗିରି ଜିଲ୍ଲାର ଆଉ ଜଣେ ସରକାରୀ କର୍ମଚାରୀ ମଧ୍ୟ ସାମିଲ ଥିବା ଅବକାରୀ ବିଭାଗ କହିଛି। ପୁଲିସ ଆଇନ ରକ୍ଷକ ହୋଇ ନିଜେ ଅପରାଧରେ ସଂଶ୍ଳୀଷ୍ଠ,ଯାହାକି ପୋଲିସ ବିଭାଗ ପାଇଁ ଏକ ଲଜ୍ଜାଜନକ ବିଷୟ । ଏହି ଘଟଣା ସମଗ୍ର ଅଞ୍ଚଳେ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଧରାପଡିଥିବା ଅପରାଧି ସଂଜୀବ ହୀରା ଠାରୁ ଦୁଇଟି ମୋବାଇଲ ଫୋନ, ନଗଦ ୩,୯୨୦ ଟଂକା ସହ ପିକ୍‌ଅପ୍‌ ଭ୍ଯାନକୁ ଅବକାରୀ କର୍ମଚାରୀମାନେ ଜବତ କରିଛନ୍ତି। ଆସାମୀକୁ କନେଷ୍ଟବଲକୁ ଚାକିରୀରୁ ନିଳମ୍ବିତ କଲାପରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.