ମାଲକାନଗିରି,୧୪/୦୧(ପିପିଟି):ଆଜି ବାଲିମେଳା ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ପଥ ଉତ୍ସବ-୨୦୨୩ ଅନୁଷ୍ଠିତ ହୋଇ ଯାଇଛି। ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ପଥ ଉତ୍ସବର ଭିନ୍ନ ଏକ ଆକର୍ଷଣ। ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିବା ବେଳେ ମଞ୍ଚରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ,ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ,ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝୀ ଓ ତହସିଲଦାର ଚନ୍ଦନ କୁମାର ଭୋଇ ଉପସ୍ଥିତ ଥିଲେ । ଏହି ଅବସରରେ ବାଲ୍ୟ ବିବାହ ରୋକିବା ନିମନ୍ତେ ହସ୍ତାକ୍ଷର ଅଭିଯାନ,କୌତୁକ ପୋଷାକ ଓ ରଙ୍ଗୋଲିର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ତିନୋଟି ମଞ୍ଚ କରାଯାଇ ନୃତ୍ୟ ଗୀତ ଓ ନାଟକ ପରିବେଷଣ କରାଯାଇଥିଲା। ଅନ୍ତର୍ଜାତୀୟ ସ୍ବୀକୃତି ପ୍ରାପ୍ତ ମାଲକାନଗିରିର ଯୁବ ବାଲୁକା ଶିଳ୍ପୀ ମୁକା କାବାସୀ ବାଲୁକାରେ ବାଲ୍ୟ ବିବାହ ରୋକିବା ଉପରେ ସଚେତନତା ବାର୍ତ୍ତା ଅଙ୍କନ କରିଥିଲେ। ସେହିପରି ସଡ଼କ ସଚେତନତାକୁ ନେଇ ମଧ୍ୟ ଅନୁରୂପ ଭାବେ ସୁନ୍ଦର ବାର୍ତ୍ତାକୁ ସ୍ଥାନିତ କରାଯାଇଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିଶା ନିବାରଣ ଉପରେ ଏକ ନାଟକ ପରିବେଷଣ କରା ଯାଇଥିଲା। ଭିନ୍ନ ଏକ ଚିତାକର୍ଷଣ ଥିଲା ବିଏସଏଫ ତରଫରୁ ଡଗ୍ ସୋ ଏବଂ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ। ସେହିପରି ବିଏସଏଫ୍ ପକ୍ଷରୁ ବିହୁ ନୃତ୍ୟ ପରିବେଷଣ କରାଯାଇଥିଲା। ସ୍କେଟିଂ, ଫୁଟବଲ୍, ଧନୁତୀର ଚାଳନା, ମଲ୍ଖମ, ଯୋଗ , ଝୋଟି ସହ ମାଗଣା ରେ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଉତ୍ସବରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଧ୍ରୁବଚରଣ ମୁଦୁଲି,ଜିଲ୍ଲା ନିୟୋଜନ ଅଧିକାରୀ ମନସ୍ବୀ ସେଠୀ, ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ, ଶ୍ରମ ଅଧିକାରୀ, ପୂର୍ଣିମା ଡୁରୁକା, ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ସମେତ ଜିଲ୍ଲାର ବୁଦ୍ଧିଜୀବି, ବିଭିନ୍ନ ସାଂସ୍କୃତିକ ସଂଗଠନ, ଏନସିସି ଦଳ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ଗଣମାଧ୍ୟମର ପ୍ରତିନିଧି ସାମିଲ ହୋଇଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)