ମାଲକାନଗିରି,୧୬/୦୭(ପିପିଟି): ଲଘୁଚାପଜନିତ ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ମୋଟୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୋଦାବରୀ ନଦୀର ପଛୁଆ ପାଣି ।ମାଡିଆସିବା ଯୋଗୁଁ ମୋଟୁ ଅଞ୍ଚଳ ବହୁ ଗ୍ରାମ ପାଣି ଘେରରେ ରହିଛି । ଗାଁଗୁଡିକରେ ବନ୍ଯା ପାଣି ପଶିବା ହେତୁ ଜିଲ୍ଲା ପ୍ରଶାସନ ୨ ହଜାର ପରିବାରକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ବନ୍ୟା ବିପନ୍ନଙ୍କ ପାଇଁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଆଜି ଓଡ଼୍ରାଫ ଟିମ୍ ମୋଟୁରେ ପହଞ୍ଚି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଜୋରଦାର୍ କରିଛି । ସେହିପରି ସିଲେରୁ ଓ ସାବେରୀ ନଦୀର ବର୍ଷା ଜଳ ପ୍ରବେଶ କରିବା ଫଳରେ ଗୋଦାବରୀର ଜଳ ତଳକୁ ସହଜରେ ନିଷ୍କାସିତ ନ ହୋଇ ପଛୁଆ ପାଣି ମୋଟୁ ଅଞ୍ଚଳକୁ ଜଳ ପ୍ଲବନ କରିଛି । ଫଳରେ ୩୨୬ ନଂମ୍ବର ଜାତୀୟ ରାଜପଥର ମୋଟୁ – ଚିନ୍ତୁର ମଧ୍ୟରେ ରାସ୍ତା ଉପରେ ପ୍ରାୟ ୧୦ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଯାହାଫଳରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ର, ତେଲେଙ୍ଗାନାକୁ ଯାତାୟାତ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଅନୁରୂପ ଭାବେ ମୋଟୁ ନିକଟସ୍ଥ ସାବେରୀ ନଦୀ ଅପରପାର୍ଶ୍ଵରେ ଥିବା ଛତିଶଗଡ଼ ରାଜ୍ୟ କୋଣ୍ଟା ଦେଇ ରାୟପୁରକୁ ସଂଯୋଗ କରୁଥିବା ୩୦ ନଂମ୍ବର ଜାତୀୟ ରାଜପଥରେ ୧୦ରୁ ୧୫ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଯାହାଦ୍ଵାରା ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । କାଲିମେଳା ଓ ପଡ଼ିଆ ବ୍ଲକର ସାବେରୀ ନଦୀ କୂଳରେ ଥିବା ଅଧିକାଂଶ ଗ୍ରାମ ଗୁଡିକରେ ବନ୍ୟାଜଳ ପଶିଥିବା ଜଣାପଡିଛି । ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ସେସବୁ ଗ୍ରାମବାସୀଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳି ଓ ବିଦ୍ୟାଳୟ ଗୁଡିକରେ ଥଇଥାନ କରିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ବ୍ଲକର ସମସ୍ତ କର୍ମଚାରୀଙ୍କୁ ବନ୍ୟା ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଅନ୍ଯପକ୍ଷରେ ଗୋଦାବରୀ ନଦୀର ଭଦ୍ରାଚଞ୍ଚଳମ ନିକଟରେ ବିପଦ ସଂକେତ ୫୩ ଫୁଟ ରହିଥିବା ବେଳେ ଆଜି ଅପରାହ୍ନ ୧ଟା ସୁଦ୍ଧା ୭୧ ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଛି । ଯାହାକି ବିପଦ ସଂକେତ ଠାରୁ ୧୮ ଫୁଟ୍ ଅଧିକ ରହିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post